ଆଜି ଭାରତ ଆୟୋଜନ କରୁଛି ‘ଜି୨୦ ଭର୍ଚ୍ୟୁଆଲ୍‌ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ: ଆଜି ଭାରତ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ‘ଜି୨୦’ ଶିଖର ସମ୍ମିଳନୀ ଆୟୋଜନ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନା ଦେଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ଦିଲ୍ଲୀ ଘୋଷଣାନାମାର ପ୍ରବର୍ତ୍ତନ ଓ ନୂତନ ବୈଶ୍ବିକ ଆହ୍ବାନଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯିବ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ଭାରତର ଅଧ୍ୟକ୍ଷତାରେ ସେପ୍ଟେମ୍ବର ମାସରେ ଆୟୋଜିତ ହୋଇଥିବା ‘ଜି୨୦ ବାର୍ଷିକ ଶିଖର ସମ୍ମଳନୀ’ର ପ୍ରମୁଖ ଫଳାଫଳ ଓ କାର୍ଯ୍ୟକାରୀ ହେବାକୁ ଥିବା ପ୍ରସଙ୍ଗ ଉପରେ ଆଜିର ଏହି ‘ଭର୍ଚ୍ୟୁଆଲ୍‌ ଶିଖର ସମ୍ମଳନୀ’ ପର୍ଯ୍ୟବେଶିତ ହେବ। ଏଥିରେ ରୁଷ୍‌-ୟୁକ୍ରେନ୍‌ ଓ ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ପ୍ରସଙ୍ଗ ଏବଂ ବୈଶ୍ବିକ ସ୍ଥିରତା ଉପରେ ତା’ର ପ୍ରଭାବ ଏବଂ ଆର୍ଥିକ ସୁଧାର ଆଦି ବିଷୟ ବି ଆଲୋଚନା କରାଯିବ।

ଭାରତର ଜି୨୦ ଶେର୍ପା ଅମିତାଭ କାନ୍ତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ସମ୍ମିଳନୀରେ ସବୁ ସଦସ୍ୟ ରାଷ୍ଟ୍ରମାନଙ୍କର ନେତା ଅଂଶଗ୍ରହଣ କରିବେ।

ଏଥିରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଯୋଗ ଦେବେ ବୋଲି କ୍ରେମ୍‌ଲିନ୍‌ ଘୋଷଣା କରିଛି। ସେ ନୂଆଦିଲ୍ଲୀରେ ଆୟୋଜିତ ‘ଜି୨୦’ ବାର୍ଷିକ ଶିଖର ସମ୍ମିଳନୀକୁ ଆସି ପାରି ନ ଥିଲେ। କିନ୍ତୁ, ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଏହି ‘ଭର୍ଚ୍ୟୁଆଲ୍‌ ଶିଖର ସମ୍ମିଳନୀରେ ଯୋଗ ଦେବେ ନାହିଁ। ସେ ମଧ୍ୟ ନୂଆଦିଲ୍ଲୀରେ ଆୟୋଜିତ ‘ଜି୨୦’ ବାର୍ଷିକ ଶିଖର ସମ୍ମିଳନୀକୁ ଆସି ନ ଥିଲେ। ମାତ୍ର ଭାରତର ଆମନ୍ତ୍ରଣ ରକ୍ଷା କରି ତାଙ୍କ ପରିବର୍ତ୍ତେ ଚୀନ୍‌ର ପ୍ରଧାନମନ୍ତ୍ରୀ ଲି କ୍ବିଆଙ୍ଗ୍‌ ଏଥିରେ ଅଂଶଗ୍ରହଣ କରିବେ।

#g20