ନୂଆଦିଲ୍ଲୀ: କମନୱେଲଥ ଫେନ୍ସିଂ ଚାମ୍ପିଅନସିପ୍ ୨୦୨୬ରେ ଭାରତୀୟ ଦଳର ଐତିହାସିକ ପ୍ରଦର୍ଶନ। ପ୍ରଥମ ଥର ପାଇଁ ଭାରତ ‘ଓଭରଅଲ୍ ଚାମ୍ପିଅନସିପ୍’ ଟାଇଟଲ୍ ନିଜ ନାମରେ କରିବା ସହ ପ୍ରତିଷ୍ଠିତ ‘ୱିଲକିନସନ ସ୍ୱାର୍ଡ ଟ୍ରଫି’ ହାସଲ କରିଛି। ଚାରି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଅଣ୍ଡର-୨୩ (U-23) ଏବଂ ସିନିୟର ବର୍ଗକୁ ମିଶାଇ ଭାରତ ମୋଟ ୩୫ଟି ପଦକ ଜିତିଛି। ୧୯୮୨ ମସିହାରୁ କମନୱେଲଥ ଫେନ୍ସିଂ ଫେଡେରେସନ୍ ତରଫରୁ ଏହି ଟ୍ରଫି ପ୍ରଦାନ କରାଯାଉଛି। ପ୍ରତିଯୋଗିତାରେ ସାମଗ୍ରିକ ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଦେଶକୁ ହିଁ ଏହି ସମ୍ମାନଜନକ ଟ୍ରଫି ଦିଆଯାଇଥାଏ, ଯାହାକୁ ଭାରତ ପ୍ରଥମ ଥର ପାଇଁ ନିଜ ନାମରେ କରିଛି।