ଭୁବନେଶ୍ୱର: ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘INDIA’ ବ୍ଲକର ବିକ୍ଷୋଭ ଜାରି ରହିଛି । ନିର୍ବାଚନ କମିଶନଙ୍କ ଅଫିସ୍ ଘେରାଉ ସହିତ ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା ହେଉଥିବାର ସୂଚନା ମିଳିଛି । ଏହା ମଧ୍ୟରେ ‘INDIA’ ବ୍ଲକ ପ୍ରତିବାଦରେ ସାମିଲ ହେଲା ବିଜେଡି । ବିଜେଡି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଂସଦମାନେ ଏହି ପଦଯାତ୍ରାରେ ଯୋଗ ଦେବେ । ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏସ୍ଆଇଆର ପ୍ରସଙ୍ଗରେ ସିଇସିଙ୍କ ବିବାଦୀୟ ଭୂମିକାକୁ ନେଇ ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ଜ୍ଞାନେଶ କୁମାରଙ୍କ ଇସ୍ତଫା ପୂର୍ବରୁ ଦାବି କରିଛନ୍ତି । ଏସ୍ଆଇଆର ନାମରେ ଓଡ଼ିଶାରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଭୋଟରଙ୍କ ସହ ସାରା ଦେଶରେ ୧୩ କୋଟିରୁ ଊର୍ଦ୍ଧ୍ବ ମତଦାତାଙ୍କୁ ବାଦ ଦିଆଯିବା ସନ୍ଦେହ ସୃଷ୍ଟି କରିଥିବାବେଳେ ଧାମନଗରରେ ଘଟିଥିବା ଘଟଣା ଏହାକୁ ଦୃଢ଼ୀଭୂତ କରିଛି । ବିଏଲ୍ଓଙ୍କ ଅଜ୍ଞାତସାରରେ ଗୋଟିଏ ଅଞ୍ଚଳରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୨୭ ଭୋଟ କାଟିଦିଆଯିବା ଏସ୍ଆଇଆର୍ ଜାଲିଆତିକୁ ସ୍ପଷ୍ଟ କରିଦେଇଛି । କେବଳ ଧାମନଗର ବିଧାନସଭା କ୍ଷେତ୍ରରୁ ହଜାର ହଜାର ଭୋଟରଙ୍କୁ ମତଦାତା ସୂଚୀରୁ ବାଦ ଦିଆଯାଇଛି। ଏହି ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ ଅନେକ ଦିଗକୁ ଇଙ୍ଗିତ କରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇଆର୍ରେ ଫର୍ମ-୬ ପରିବର୍ତ୍ତନ ନେଇ ନିର୍ବାଚନ କମିଶନଙ୍କ ପୂର୍ବ ନିର୍ଦ୍ଦେଶକୁ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ ଭାବରେ ଖଣ୍ଡନ କରି ଏପରି ନିର୍ଦ୍ଦେଶ ଦିଆଯାଇ ନଥିବା କହିବା ପରେ ସିଇସି ଜ୍ଞାନେଶ କୁମାର ଭୋଟର ତାଲିକାରେ ଜାଲିଆତିରେ ପ୍ରତ୍ୟକ୍ଷ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଛି ।