ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ : ପ୍ରଥମ ଇନିଂସରେ ଭାରତ ୨୬୨ ରନ୍‌ରେ ଅଲ୍‌ଆଉଟ୍‌

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିଲ୍ଲୀରେ ଚାଲିଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ପାଳିରେ ଭାରତ ୨୬୨ ରନରେ ଅଲ ଆଉଟ ହୋଇଛି । ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସରେ ୧ ୱିକେଟ ହରାଇ ୬୧ ରନ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ଏବେ ୬୨ ରନ ଆଗୁଆ ରହିଛି।

ପ୍ରଥମ ପାଳିରେ ଅକ୍ଷର ପଟେଲ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୧୫ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୭୪ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୯ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ଅକ୍ଷର ପଟେଲ ଅଷ୍ଟମ ୱିକେଟ୍‌ରେ ରବିଚନ୍ଦ୍ରନ ଅଶ୍ବିନ (୩୭ ରନ୍‌)ଙ୍କ ସହିତ ୧୧୪ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ପ୍ରଥମ ପାଳିରେ ଭାରତ ପାଇଁ ବିରାଟ କୋହଲ ୪୪ ରନ୍‌, ଅଧିନାୟକ ରୋହିତ ଶର୍ମା ୩୨ ରନ୍‌, ରବୀନ୍ଦ୍ର ଜାଦେଜା ୨୬ ରନ୍‌ ଓ କେଏଲ୍‌ ରାହୁଲ ୧୭ ରନ୍‌ ସଂଗ୍ରହ କରିଥିଲେ। ଶ୍ରେୟସ ଆୟର ଓ ଶ୍ରୀକର ଭରତଙ୍କ ବ୍ୟାଟରୁ ଯଥାକ୍ରମେ ୪ ଓ ୬ ରନ୍‌ ଲେଖାଏଁ ଯୋଡ଼ିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନାଥାନ ଲାୟନ ସର୍ବାଧିକ ୫ଟି ୱିକେଟ୍‌ ନେଇଛନ୍ତି। ଏମ୍‌ କୁହମାନ୍‌ ଓ ଟି ମୁର୍ଫିଙ୍କୁ ୨ଟି ଲେଖାଏଁ ୱିକେଟ୍‌ ମିଳିଥିଲା ବେଳେ ପେଟ୍‌ କମିନ୍‌ସଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଅଷ୍ଟ୍ରେଲିଆ ଶୁକ୍ରବାର ପ୍ରଥମ ଦିନରେ ୨୬୩ ରନ୍‌ ସଂଗ୍ରହ କରି ଅଲ୍‌ଆଉଟ୍‌ ହୋଇଥିଲା। ପ୍ରଥମ ଦିନରେ ମହମ୍ମଦ ସାମି ଯଦିଓ ୪ ୱିକେଟ୍‌ ଦଖଲ କରିଥିଲେ, କିନ୍ତୁ ରବିଚନ୍ଦ୍ରନ ଅଶ୍ବିନ ଅଧିକ ଘାତକ ସାବ୍ୟସ୍ତ ହୋଇଥିଲେ। ୨୧ ଓଭର ବୋଲିଂ କରି ୨.୭୧ ଇକୋନୋମିରେ ୩ ୱିକେଟ୍‌ ଦଖଲ କରିବା ସହ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ରବୀନ୍ଦ୍ର ଜାଦେଜା ମଧ୍ୟ ୩ ୱିକେଟ୍‌ ନେଇଥିଲେ ବି ବ୍ୟାଟରଙ୍କୁ ନିୟନ୍ତ୍ରଣରେ ରଖିପାରିନଥିଲେ। ସେ ମଧ୍ୟ ସମାନ ସଂଖ୍ୟକ ଓଭର ବୋଲିଂ କରିଥିଲେ ହେଁ ୩.୨୩ ଇକୋନୋମିରେ ୬୮ ରନ୍‌ ବ୍ୟୟ କରିଥିଲେ।