ଜଗତସିଂହପୁର: ବୋଲବମ୍ ପାଇଁ ପାଣି ଉଠାଇବା ବେଳେ ମହାନଦୀରେ ଘଟିଛି ଅଘଟଣ । ପୁଅକୁ ବଞ୍ଚାଇବାବେଳେ ବାପାଙ୍କ ଜୀବନ ଚାଲିଯାଇଛି ।ସୂଚନା ଅନୁଯାୟୀ,ରବିବାର ରାତିରେ ଜଗତସିଂପୁର ଜିଲ୍ଲା ପାରାଦ୍ବୀପ ନିକଟସ୍ଥ ନିମିଢିହି ଗ୍ରାମର ଇଶ୍ୱର ବାରିକ ତାଙ୍କ ପୁଅକୁ ସାଙ୍ଗରେ ଧରି ଭୂତୁମୁଣ୍ଡାଇ ପୋଲ ତଳ ମହାନଦୀକୁ ବୋଲବମ୍ ପାଣି ଉଠାଇବା ପାଇଁ ଆସିଥିଲେ । ପାଣି ଆଣି ପୂଜାର୍ଚ୍ଚନା କରିବା ସମୟରେ ପୁଅ ସ୍ରୋତରେ ଭାସିଯାଇଥିଲା । ପୁଅକୁ ଭାସିଯାଉଥିବା ଦେଖି ଇଶ୍ୱର ନଦୀକୁ ସଙ୍ଗେସଙ୍ଗେ ଡେଇଁ ପଡ଼ିଥିଲେ । ସେ ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ମଧ୍ୟ, ନିଜେ ନଦୀର ପ୍ରବଳ ସ୍ରୋତରେ ଭାସି ଯାଇ ବୁଡ଼ିଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ବହୁ ଖୋଜାଖୋଜି ପରେ ଇଶ୍ୱରଙ୍କ ମୃତଦେହକୁ ନଦୀରୁ ଉଦ୍ଧାର କରାଯାଇଛି । ଅନ୍ୟପଟେ ଗୁରୁତର ଅବସ୍ଥାରେ ପୁଅକୁ କୁଜଙ୍ଗ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି ।ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l