ଯାଜପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ୩୯ ହଜାର ୩୮୩ କୋଟି ଟଙ୍କା ମୂଲ୍ୟର ୪୬ଟି ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ରାଜ୍ୟରେ ୪୨,୦୦୦ରୁ ଊର୍ଦ୍ଧ୍ୱ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଓଡ଼ିଶାକୁ ଦେଶ ତଥା ବିଶ୍ୱର ଏକ ଅଗ୍ରଣୀ ଉତ୍ପାଦନ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବ। ଏକ ଆତ୍ମନିର୍ଭର, ବିକଶିତ ତଥା ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମର ଏହି ପ୍ରଗତି ଯାତ୍ରା ନିରନ୍ତର ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୪୬ଟି ପ୍ରକଳ୍ପ ରାଜ୍ୟର ୧୪ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୋଳ, ବରଗଡ଼, ବାଲେଶ୍ୱର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ । ବିଭିନ୍ନ କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ନିବେଶର ନୂଆ ସମ୍ଭାବନା ସୃଷ୍ଟି କରିବ। ଇସ୍ପାତ ଓ ଧାତୁ, ରାସାୟନିକ ଶିଳ୍ପ, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ଜୈବ ଇନ୍ଧନ, ବୟନ ଓ ପୋଷାକ, ଇଲେକ୍ଟ୍ରୋନିକ୍ସ, ଆଇଟି ସେବା, ଲଜିଷ୍ଟିକ୍ସ, ଗୋଦାମ ଗୃହ, ପର୍ଯ୍ୟଟନ ଓ ଆତିଥେୟତା, ଶିଳ୍ପ ଗ୍ୟାସ୍, ଭିତ୍ତିଭୂମି, ରବର ଓ ପ୍ଲାଷ୍ଟିକ୍, ଜାହାଜ ନିର୍ମାଣ ଓ ମରାମତି, ଶକ୍ତି ସଂରକ୍ଷଣ, ରିଫ୍ରାକ୍ଟରିଜ୍, ସର୍କୁଲାର ଇକୋନୋମି ଏବଂ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ର ଏଥିରେ ସାମିଲ ରହିଛି। ପ୍ରତ୍ୟକ୍ଷ ନିଯୁକ୍ତି ବ୍ୟତୀତ ନିର୍ମାଣ, ପରିବହନ, ଲଜିଷ୍ଟିକ୍ସ ଓ ଅନ୍ୟାନ୍ୟ ସହାୟକ ସେବା କ୍ଷେତ୍ରରେ ମଧ୍ୟ ରୋଜଗାର ବୃଦ୍ଧିର ସମ୍ଭାବନା ରହିଛି। ଏହା ଦ୍ୱାରା ଦକ୍ଷ ଓ ଅର୍ଦ୍ଧଦକ୍ଷ ଶ୍ରମିକ, ଯୁବକ ଯୁବତୀ ଏବଂ ସ୍ଥାନୀୟ ଲୋକଙ୍କ ଜୀବିକାରେ ସୁଧାର ଆସିବା ଆଶା ରହିଛି |