ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ,ମାହାଙ୍ଗା ଥାନା ଆଇଆଇ ଙ୍କୁ କାରଣ ଦର୍ଶାଇ ନୋଟିସ୍‌

ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ମାହାଙ୍ଗା ଥାନା ଆଇଆଇ ଙ୍କୁ କାରଣ ଦର୍ଶାଇ ନୋଟିସ୍‌ ଜାରି କରିଛନ୍ତି ସାଲେପୁର ଜେଏମ୍‌ଏଫ୍‌ସି । କେବଳ ସେତିକି ନୁହେଁ, ଆସନ୍ତା ଡିସେମ୍ବର ୧୦ ତାରିଖ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ବାରମ୍ବାର ତଦନ୍ତକାରୀ ଅଫିସର କୋର୍ଟରେ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର୍‌ ସଂଗୃହିତ ରିପୋର୍ଟ ନଦେବା ଏବଂ ବ୍ୟକ୍ତିଗତ ହାଜିରା ଆଦେଶ ପରେ ମଧ୍ୟ ହାଜିରା ନହେବା କାରଣରୁ ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନହେବ ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
ଏହା ସହିତ ମାହାଙ୍ଗା ପୁଲିସ୍‌ ପକ୍ଷରୁ ମଗାଯାଇଥିବା ମାସେ ଟାଇମ୍‌ ପିଟିସନକୁ ଖାରଜ କରିଦେଇଛନ୍ତି ଜେଏମ୍‌ଏଫ୍‌ସି କୋର୍ଟ। ଗତ ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ୩ ମାସ ହେଲା କେବଳ ସମୟ ଗଡ଼ାଇ ଚାଲିଥିଲା ପୁଲିସ୍‌।

ସୂଚନା ଅନୁସାରେ ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୪) ଓ ସଂପର୍କୀୟ ଦିବ୍ୟ ସିଂହ ବରାଳ( ୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଥାନାରେ ଦିଆଇଥିବା ଏଫ୍‌ଆଇଆର୍‌ରେ ୧୩ ନମ୍ୱରେ ଥିଲା ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ। ହେଲେ ପରବର୍ତ୍ତି ସମୟରେ ତାଙ୍କ ନାଁକୁ ଏଫ୍‌ଆଇଆର୍‌ରୁ କାଟି ଦିଆଯାଇଥିଲା। ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ।
ଏହା ସହିତ ଏଫ୍‌ଆଇଆର୍‌ରେ ୧୩ ନମ୍ବର ମୁଦାଲା ଭାବେ ସ୍ଥାନ ପାଇଥିବା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Comments (0)
Add Comment