ଡିଆରଡିଓ ତଥ୍ୟ ଲିକ୍ ମାମଲାରେ, ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମ୍‌ବ୍ରାଞ୍ଚକୁ ଅନୁମତି

ଡିଆରଡିଓରୁ ତଥ୍ୟ ଲିକ୍ ଅଭିଯୋଗ ମାମଲାରେ ଗିରଫ ୫ ଜଣଙ୍କୁ ଜେରା କରିବାକୁ ପ୍ରସ୍ତୁତ ହୋଇଛି କ୍ରାଇମବ୍ରାଞ୍ଚ। ଏଥିପାଇଁ ସେମାନଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ମଧ୍ୟ କ୍ରାଇମବ୍ରାଞ୍ଚଙ୍କୁ ଅନୁମତି ଦେଇଛନ୍ତି ବାଲେଶ୍ୱର ଏସଡିଜେଏମ କୋର୍ଟ। ସେମାନଙ୍କୁ କଟକରେ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ୍ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଡିଆରଡିଓରୁ ସେମାନେ କେଉଁ ତଥ୍ୟ କିଭଳି ଏବଂ କାହାକୁ ଲିକ୍ କରୁଥିଲେ, ସେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ୍ ଟିମ୍। ସେହିଭଳି ଅଭିଯୁକ୍ତମାନେ ଆର୍ଥିକ ଦୃଷ୍ଟିରୁ କେତେ ଫାଇଦା ନେଇଛନ୍ତି ଏବଂ ଏମାନଙ୍କ ସହ ଆଉ କାହାର ଲିଙ୍କ୍ ରହିଛି ସେ ସମ୍ପର୍କରେ ତଦନ୍ତ ହେବ।
ଡିଆରଡିଓରୁ ସୂଚନା ଲିକ୍ କରିଥିବା ଅଭିଯୋଗରେ ପୁଲିସ ଏସି ଅପରେଟର୍ ବସନ୍ତ ବେହେରା ଓ ଶେଖ୍ ମୁଶାଫିର, ମେନ ଗେଟକିପର୍ ତାପସ ରଞ୍ଜନ ନାୟକ, ଡିଜି ଅପରେଟର୍ ହେମନ୍ତ କୁମାର ମିସ୍ତ୍ରୀ ଏବଂ ୭ ବର୍ଷ ଧରି ଡ୍ରାଇଭର ଭାବେ ନିଯୁକ୍ତି ପାଇଥିବା ସଚିନ୍ କୁମାର ଓରଫ ଛତାଙ୍କୁ ପୂର୍ବରୁ ଗିରଫ କରିଥିଲା ବାଲେଶ୍ୱର ପୋଲିସ I
କ୍ରାଇମବ୍ରାଞ୍ଚ୍ ଏଡିଜି ଆହୁରି କହିଛନ୍ତି, ଅଭିଯୁକ୍ତଙ୍କ ସହ ଆଉ କାହାର ସମ୍ପର୍କ ଅଛି କି? ଅଭିଯୁକ୍ତ କାହାକୁ ଫୋନ୍ କରୁଥିଲେ? ସେମାନଙ୍କ ପାଖକୁ ଅନ୍ତର୍ଜାତୀୟ ରାଜ୍ୟରୁ ଫୋନ୍ ଆସୁଥିଲା କି? ହନିଟ୍ରାପ କରୁଥିବା ମହିଳା ଜଣଙ୍କ ଅଭିଯୁକ୍ତଙ୍କ ସଂସ୍ପର୍ଶରେ କେମିତି ଆସିଲେ? ହନିଟ୍ରାପ ମହିଳା ଜଣଙ୍କର ବିଦେଶୀ ସଂସ୍ଥା ସହ ଲିକ୍ ଅଛି କି? ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ କାମ କରୁଥିଲେ କି ? ଏନେଇ କ୍ରାଇମବ୍ରାଞ୍ଚ ପ୍ରଶ୍ନ ପଚାରିବ।
ଏହି ମାମଲାର NIA ନୁହେଁ, ଏବେ କେବଳ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ତେବେ NIA ଚାହିଁଲେ ଅଭିଯୁକ୍ତଙ୍କୁ ପଚରାଉଚରା କରିପାରିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।

Comments (0)
Add Comment