ଦାନ୍ତେୱାଡା : ଛତିଶଗଡ଼ରେ ଆଜି ମାଓବାଦୀ ଆକ୍ରମଣରେ ୧୦ ଯବାନ ସହିଦ ହୋଇଯାଇଛନ୍ତି ଏବଂ ଯବାନଙ୍କ ଗାଡ଼ି ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଦାନ୍ତେୱାଡ଼ାର ଅରନପୁରରେ ମାଓବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିବାପରେ ଆଜି ଡିଆରଜି (ଡିଷ୍ଟ୍ରିକ୍ଟ ରିଜର୍ବ ଗାର୍ଡ) ପୁଲିସ ଉକ୍ତ ଅଞ୍ଚଳକୁ ଯାଇଥିଲେ। ସେମାନେ ମାଓ ନିରୋଧ ଅପରେସନ୍ରୁ ଫେରୁଥିବାବେଳେ ବାଟରେ ସେମାନଙ୍କ ଗାଡ଼ି ବିସ୍ଫୋରଣରେ ଉଡ଼ି ଯାଇଥିଲା। ଯବାନଙ୍କ ଗାଡ଼ି ଆସିବା ରାସ୍ତାରେ ମାଓବାଦୀମାନେ ଆଇଇଡି ଖଞ୍ଜିଥିଲେ। ଫଳରେ ବିସ୍ଫୋରଣରେ ଡିଆରଜି ପୁଲିସଙ୍କ ଗାଡ଼ି ଉଡ଼ି ଯାଇଥିଲା। ଡିଆରଜି ହେଉଛି ଛତିଶଗଡ଼ ପୁଲିସର ଏକ ସ୍ବତନ୍ତ୍ର ବାହିନୀ। ଏଥିରେ ଅଧିକାଂଶ ସ୍ଥାନୀୟ ଆଦିବାସୀ ରହିଛନ୍ତି। ମାଓ ମୁକାବିଲା ପାଇଁ ସେମାନଙ୍କୁ ତାଲିମ ଦିଆଯାଉଛି। ମାଓବାଦୀ ଆକ୍ରମଣ ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ କଥା ହୋଇଛନ୍ତି ଏବଂ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସହିଦ ହୋଇଥିବା ୧୦ ଜଣ ଯବାନ ଏବଂ ଗାଡ଼ି ଡ୍ରାଇଭରଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନେ ହେଉଛନ୍ତି ଜୋଗା ସୋଧି, ମୁନ୍ନା ରାମ କଡ଼ତି, ସନ୍ତୋଷ ତାମୋ, ଡୁଗଲୋ ମାଣ୍ଡଭି, ଲକ୍ଷ୍ମୁ ମରକମ, ଜୋଗା କବସି, ହରିରାମ ମାଣ୍ଡଭି, ରାଜୁ ରାମ କରତମ, ଜୟରାମ ପୋଡ଼ିଆମ, ଜଗଦୀଶ କବସି ଏବଂ ଡ୍ରାଇଭର ଧନିରାମ ଯାଦବ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ବାଘେଲ କହିଛନ୍ତି, ଆକ୍ରମଣରେ ସାମିଲ ଥିବା ମାଓବାଦୀଙ୍କୁ ଛଡ଼ାଯିବନି।
ଏହି ଘଟଣା ସଂପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ଫୋନରେ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ଆକ୍ରମଣକୁ ଭୀରୁତାର କାର୍ଯ୍ୟ ବୋଲି କହିଛନ୍ତି ଶାହା। ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ବାଘେଲ। ନକ୍ସଲଙ୍କ ଆକ୍ରମଣକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି। ଏହା ସହିତ କୌଣସି ନକ୍ସଲଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି ବାଘେଲ । ନକ୍ସଲ ବିରୋଧୀ ଲଢେଇ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଯୋଜନାବଦ୍ଧ ଭାବେ ନକ୍ସଲବାଦର ମୂଳୋତ୍ପାଟନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।.ଆଇଇଡି ବ୍ଲାଷ୍ଟ ପରେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ପୋଲିସ। ବର୍ତ୍ତମାନ ଯାଏଁ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ଜଣାପଡ଼ିଛି। ଛତିଶଗଡ଼ର ୮ଟି ଜିଲ୍ଲା ନକ୍ସଲଙ୍କ ଦ୍ୱାରା ଅଧିକ ପ୍ରଭାବିତ ରହିଛି। ଗତ ୧୦ ବର୍ଷ ମଧ୍ୟରେ ଛତିଶଗଡ଼ରେ ୩ହଜାର ୭୨୨ ନକ୍ସଲ ଆକ୍ରମଣ ହୋଇଥିବା ବେଳେ ୪୮୯ ସହିଦ ହୋଇଛନ୍ତି। ମାଲକାନଗିରି, କୋରାପୁଟ, ବରଗଡ଼ ସୀମାରେ ହାଇଆଲର୍ଟ ଜାରି କରାଯାଇଛି।
ସେହିପରି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମଧ୍ୟ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଉକ୍ତ ଆକ୍ରମଣକୁ ସେ କଡ଼ା ନିନ୍ଦା କରିଛନ୍ତି। ମାଓବାଦୀମାନେ କେବେ ବି ସେମାନଙ୍କ ଦେଶ ବିରୋଧୀ ଉଦ୍ଦେଶ୍ୟରେ ସଫଳ ହେବେନାହିଁ ବୋଲି ସେ କହିଛନ୍ତି।