ବିଜେପି କୁ ଝଟକା, ଦଳ ଛାଡିଲେ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର

ବିଜେପି ଛାଡିଲେ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ । ଦଳର ପ୍ରାଥମିକ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ଦେଲେ ଇସ୍ତଫା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେ. ପି ନଡ୍ଡାଙ୍କୁ ପଠାଇଲେ ଇସ୍ତଫା ପତ୍ର । ୨୦୧୫ ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ କରିଥିଲେ ଗିରିଧର ଗମାଙ୍ଗ ଏବଂ ଶିଶିର ଗମାଙ୍ଗ ।

ରାଜନୈତିକ ଭବିଷ୍ୟତକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ପୁଅ ଶିଶିର ଗମାଙ୍ଗଙ୍କ ସହ ସେ ଖୁବ୍‌ଶୀଘ୍ର ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ରେ ଯୋଗଦେବାକୁ ଯାଉଛନ୍ତି। ଆସନ୍ତା ୨୭ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ବିଆରଏସ୍‌ରେ ଆନୁଷ୍ଠାନିକ ଭାବେ ସାମିଲ ହେବେ। ସେହିପରି ୪୦ବର୍ଷ ଧରି ଅଣକଂଗ୍ରେସ ଆଦିବାସୀ ନେତା ଭାବେ କୋରାପୁଟ ଜିଲ୍ଲାର ମଙ୍ଗ ଧରିଥିବା ଜୟରାମ ପାଙ୍ଗି ମଧ୍ୟ ସେହିଦିନ ବିଆର୍ଏସ୍‌ରେ ଯୋଗଦେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।

ବିଆରଏସ୍ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ ପରେ ନୂଆ ରାଜନୈତିକ ସମୀକରଣର ଇସାରା ଦେଇଥିଲେ ଗିରିଧର, ଜୟରାମ ଏବଂ ଶିଶିର ବିଜେପିରେ କୋଣଠେସା ହେବାପରେ ନୂଆ ରାଜନୈତିକ ସାଥୀ ସନ୍ଧାନରେ ରହିଥିଲେ । ୧୦ଦିନ ତଳେ ବିଆର୍ଏସ୍ ମୁଖ୍ୟଙ୍କୁ ଭେଟିବା ପରେ ରାଜନୈତିକ ଆକଳନ ଆରମ୍ଭ ହୋଇଥିଲା। 

କିନ୍ତୁ, ବିଆର୍‌ଏସ୍‌ରେ ସାମିଲ ହେବା ସଂପର୍କରେ ଦୁଇ ବରିଷ୍ଠ ନେତା ଜୟରାମ ଏବଂ ଗିରିଧର ମାପିଚୁପି ପ୍ରତିକ୍ରିୟା ଦେଇଥିଲେ । ଶେଷରେ ଆଜି ଜୟରାମ ପାଙ୍ଗି ଚର୍ଚ୍ଚାରେ ବିରାମ ଲଗାଇ ଗୋଟିଏ ଭିଡିଓ ଜାରି କରିଥିଲେ। ସେଥିରେ ସେ ଆସନ୍ତା ୨୭ତାରିଖରେ ବିଆର୍ଏସ୍‌ରେ ଯୋଗ ଦେଉଥିବା ପ୍ରକାଶ କରିଛନ୍ତି।