୨୬ରେ ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ମାର୍ଚ୍ଚ ୨୬ ତାରିଖରେ ଭଦ୍ରକ ସମାବେଶରେ ଯୋଗ ଦେବେ ଅମିତ ଶାହ । ଏନେଇ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି। ଏହି ଅବସରରେ ସେ ବିଜେପିର ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କ ସହ ଆଲୋଚନା ବି କରିବେ। ଏହାଛଡ଼ା କେନ୍ଦ୍ର ଗୃହମନ୍ତ୍ରୀ ଭଦ୍ରକର କେତେକ ଐତିହାସିକ ସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛ। ଆଗକୁ ଅମିତ ଶାହଙ୍କର ଢେଙ୍କାନାଳ ଓ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରବାସ କାର୍ଯ୍ୟକ୍ରମ ରହିଛି। ତେବେ ସେ ପ୍ରଥମେ ଭଦ୍ରକ ଆସିବେ ପୃଥ୍ୱୀରାଜ କହିଛନ୍ତି ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଥିବା ବେଳେ ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରୁଛନ୍ତି । ଆଉ ଏସବୁ ଭିତରେ ବିଜେପିର ଚାଣକ୍ୟ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରୁଛି। ଯେହେତୁ ପଶ୍ଚିମ ଓଡ଼ିଶାରେ ବିଜେପିର ସଙ୍ଗଠନ ସୁଦୃଢ଼ ଅଛି, ତେଣୁ ଚଳିତ ଗସ୍ତରେ ଉପକୂଳ ଓଡ଼ିଶା ଉପରେ ଫୋକସ କରିଛନ୍ତି ଶାହା । ଯେଉଁଥିପାଇଁ ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ପାଇଁ ଭଦ୍ରକ ନିର୍ବାଚନମଣ୍ଡଳୀକୁ ବାଛିଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ପୂର୍ବରୁ ଗତବର୍ଷ ଅଗଷ୍ଟ ୮ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶେଷ ଥର ଲାଗି ଓଡ଼ିଶା ଆସିଥିଲେ। ସେ ଦୈନିକ ଖବର କାଗଜ ‘ପ୍ରଜାତନ୍ତ୍ର’ର ୭୫ ବର୍ଷ ପୂର୍ତ୍ତି ଅବସରରେ କଟକର ଇନଡୋର ଷ୍ଟାଡିୟମରେ ଆୟୋଜିତ ସମାରୋହରେ ଯୋଗଦେଇଥିଲେ।