୨୦୨୨ରେ ସରକାରୀ କର୍ମଚାରୀ ପାଇବେ ୧୦୪ ଟି ଛୁଟି ଦିବସ

ରାଜ୍ୟ ସରକାର ଆସନ୍ତା ୨୦୨୨ବର୍ଷ ପାଇଁ ସରକାରୀ ଛୁଟି ତାଲିକା ଘୋଷଣା କରିଛନ୍ତି । ରବିବାର, ଦ୍ବିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ୧୦୪ ଦିନ ଛୁଟି ପାଇପାରିବେ ସରକାରୀ କର୍ମଚାରୀ । ଚଳିତବର୍ଷ ତୁଳନାରେ ଆସନ୍ତାବର୍ଷ ଛୁଟି ସଂଖ୍ୟା କମ୍ ରହିଛି । ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ଛୁଟି ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ରାଜସ୍ବ ଓ ମାଜିଷ୍ଟ୍ରେଟ୍ କୋର୍ଟ ପାଇଁ ଲାଗୁ ହେବ ।
ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ଓ ୨୬ରେ ସାଧାରଣତନ୍ତ୍ର ଦିବସ ପାଇଁ ଛୁଟି ରହିଛି। ସେହିଭଳି ଫେବୃଆରୀ ୫ରେ ବସନ୍ତ ପଞ୍ଚମୀ ଛୁଟି ରହିଛି । ମାର୍ଚ୍ଚ ୧ରେ ମହାଶିବରାତ୍ରୀ, ୫ରେ ପଞ୍ଚାୟତିରାଜ ଦିବସ, ୧୮ରେ ଦୋଳ ପୂର୍ଣ୍ଣିମା ଓ ୧୯ରେ ହୋଲି ଛୁଟି ରହିଛି। ସେହିପରି ଅପ୍ରେଲ ୧ରେ ଉତ୍କଳ ଦିବସ, ୧୪ରେ ମହାବିଷୁବ ସଂକ୍ରାନ୍ତି/ଆମ୍ବେଦକର ଜୟନ୍ତୀ ଓ ୧୫ରେ ଗୁଡ୍ ଫ୍ରାଇଡେ ପାଇଁ ଛୁଟି। ମେ’ ୩ରେ ଇଦୁଲ୍ ଫିତର୍, ୧୬ରେ ବୁଦ୍ଧ ପୂର୍ଣ୍ଣିମା/ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ ଓ ୩୦ରେ ସାବିତ୍ରୀ ଅମାବାସ୍ୟା ପାଇଁ ଛୁଟି । ଜୁନ୍ ୧୪ରେ ପହିଲି ରଜ ଓ ୧୫ରେ ରଜ ସଂକ୍ରାନ୍ତି ପାଇଁ ଛୁଟି ରହିବ। ସେହିଭଳି ଜୁଲାଇ ୧ରେ ରଥଯାତ୍ରା ପାଇଁ ଛୁଟି । ଅଗଷ୍ଟ ୯ରେ ମହରମ୍, ୧୧ରେ ଝୁଲଣ ପୂର୍ଣ୍ଣିମା, ୧୫ରେ ସ୍ବାଧୀନତା ଦିବସ, ୧୮ରେ ଜନ୍ମାଷ୍ଟମୀ ଓ ୩୧ରେ ଗଣେଶ ପୂଜା ଛୁଟି। ସେପ୍ଟେମ୍ବର ୧ରେ ନୂଆଖାଇ ଛୁଟି । ଅକ୍ଟୋବର ୩ରେ ମହାଷ୍ଟମୀ, ୪ରେ ମହାନବମୀ, ୫ରେ ବିଜୟାଦଶମୀ ଓ ୨୪ରେ କାଳୀପୂଜା/ଦୀପାବଳି ଛୁଟି। ନଭେମ୍ବର ୮ରେ ରାହାସ ପୂର୍ଣ୍ଣିମା ଛୁଟି ।
ଜାନୁଆରୀ ୨୩ରେ ସୁବାସ ବୋଷ ଜୟନ୍ତୀ, ଅପ୍ରେଲ ୧୦ରେ ରାମନବମୀ, ଜୁଲାଇ ୧୦ରେ ଇଦ୍‌-ଉଲ-ଜୁହା, ସେପ୍ଟେମ୍ବର ୨୫ରେ ମହାଳୟା, ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ, ଅକ୍ଟୋବର ୯ରେ ମହମ୍ମଦଙ୍କ ଜୟନ୍ତୀ, ଡିସେମ୍ବର ୨୫ରେ ବଡ଼ଦିନ ରବିବାର ପଡ଼ୁଥିବାରୁ ସ୍ବତନ୍ତ୍ର ଭାବେ ଛୁଟିଦିନ ଘୋଷଣା ହୋଇନି । ଏହା ବ୍ୟତୀତ ଇଚ୍ଛାଧୀନ ଛୁଟି ଭାବେ ଜାନୁଆରି ୨୫ ବ୍ରହ୍ମସମାଜ ପ୍ରତିଷ୍ଠା ଦିବସ, ଅପ୍ରେଲ ୧୬ ଇଷ୍ଟର ଶନିବାର, ଅପ୍ରେଲ ୨୭ ସବ୍‌-ଇ-କ୍ୱାଦର, ନଭେମ୍ବର ୨ ଅଁଳା ନବମୀ ଓ ନଭେମ୍ବର ୧୧ ପ୍ରଥମାଷ୍ଟମୀକୁ ଘୋଷଣା କରାଯାଇଛି ।

Comments (0)
Add Comment