ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଭୁବନେଶ୍ୱରକୁ ପାନୀୟ ଜଳ ଯୋଗାଣ ପାଇଁ ନିର୍ମାଣ ହେବ ବ୍ୟାରେଜ୍

ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୩୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଭୁବନେଶ୍ୱର ସହରକୁ ପାନୀୟ ଜଳ ଯୋଗାଣ ପାଇଁ ପାଣ୍ଡରାରେ ବ୍ୟାରେଜ ନିର୍ମାଣକୁ କ୍ୟାବିନେଟର ମଞ୍ଜୁରି I ଏଥିପାଇଁ ଖର୍ଚ୍ଚ ହେବ ୧୨୮ କୋଟି ଟଙ୍କା। ଏହି ବ୍ୟାରେଜ୍ ନିର୍ମାଣ ପ୍ରସ୍ତାବକୁ ଆଜି ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ।
ଏହା ବ୍ୟତୀତ ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧ ଲକ୍ଷ ଡିପ୍‌ ବୋର୍‌ ୱେଲ୍‌ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି। ୨୬ ଜିଲ୍ଲା ଅନ୍ତର୍ଗତ ୨୫୬ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେବ। ଏଥି ପାଇଁ ୪୧୯୮.୧୬ କୋଟି ଟଙ୍କା ଖର୍ଚ୍ଚ ହେବ।୫ଲକ୍ଷ ହେକ୍ଟର ଜମି ହେବ ଜଳସେଚିତ।୧ ଲକ୍ଷରୁ ଅଧିକ କୃଷକ ପରିବାର ଉପକୃତ ହେବେ। ବରଗଡ଼ ମୁଖ୍ୟ କେନାଲର ପୁନଃରୁଦ୍ଧାର ଓ ପୁନର୍ବିନ୍ୟାସ ହେବ। ଏଥି ପାଇଁ ୧୬୦,୩୩,୦୪୬୦୩ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଗଂଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରି ଦେଇଛି। ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ୫୭୫୦ ହେକ୍ଟର ଜମି ଜଳସେଚନ ହୋଇପାରିବ।
ରାଜ୍ୟ କ୍ୟାବିନେଟ ମିଶନ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମିଶନ ଶକ୍ତି ମହିଳାଙ୍କ ପାଇଁ ୫ ବର୍ଷରେ ୪,୯୭୩ କୋଟି ଟଙ୍କା ଖର୍ଚ୍ଚ ହେବ। ମିଶନ ଶକ୍ତି ମହିଳା ଗୋଷ୍ଠୀକୁ ୫୦ ହଜାର କୋଟିର ବ୍ୟାଙ୍କ ଋଣ ମିଳିବ। ମିଶନ ଶକ୍ତି ଉତ୍ପାଦ ସାମଗ୍ରୀ ବିକ୍ରି ପାଇଁ ୫୦୦ ବଜାର ସୃଷ୍ଟି କରାଯିବ ବୋଲି କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।
ଅନ୍ୟପଟେ ସେହିପରି ଅନୁଗୁଳରେ ହେଉଛି ମେଗା ଆଲୁମିନିୟମ ପାର୍କ । ଭିତ୍ତିଭୂମି ବିକାଶ ପାଇଁ ଇଡ୍‌କୋକୁ ଦିଆଯିବ ୪୨୮ କୋଟି ଟଙ୍କା । ସେହିପରି ୨୪ଟି ଘରୋଇ ଉଚ୍ଚ ପ୍ରାଥମିକ ସ୍କୁଲକୁ ମିଳିବ ଗ୍ରାଣ୍ଟଇନ୍‌ । ଏହା ଦ୍ୱାରା ୪୭ ଜଣ ଶିକ୍ଷକ ହେବେ ଉପକୃତ ।