ନୂଆଦିଲ୍ଲୀ: ବିଶ୍ୱ ବଜାରରେ ଲାଗି ରହିଥିବା ଅସ୍ଥିରତା ଓ ଇରାନ-ଇସ୍ରାଏଲ ଯୁଦ୍ଧର ସିଧାସଳଖ ପ୍ରଭାବ ଏବେ ଭାରତୀୟ ବଜାର ଉପରେ ପଡ଼ିବାକୁ ଆରମ୍ଭ କରିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ତୈଳ କମ୍ପାନୀଗୁଡ଼ିକ ବୁଧବାର ବାଣିଜ୍ୟିକ (Commercial) ଏଲପିଜି ସିଲିଣ୍ଡର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛନ୍ତି। ତେବେ ସାଧାରଣ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିର କଥା ହେଉଛି ଯେ, ଘରୋଇ ବ୍ୟବହାର୍ଯ୍ୟ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ନୂତନ ଦର ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରରେ ୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨୦୧୯ ଟଙ୍କାକୁ ବୃଦ୍ଧି ପାଇଛି। ସରକାରୀ ତୈଳ ବିତରକ କମ୍ପାନୀ IOC, HPCL ଏବଂ BPCL ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବାଣିଜ୍ୟିକ ସିଲିଣ୍ଡର ଦର ବଢ଼ିବା ଫଳରେ ହୋଟେଲ ଓ ରେଷ୍ଟୁରାଣ୍ଟ ଖାଇବା ମହଙ୍ଗା ହେବାର ସମ୍ଭାବନା ଦେଖାଦେଇଛି। ସୌଭାଗ୍ୟବଶତଃ, ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ଗତ ମାର୍ଚ୍ଚ ୭ ତାରିଖରେ ଘରୋଇ ଗ୍ୟାସ ଦରରେ ଶେଷଥର ପାଇଁ ପରିବର୍ତ୍ତନ କରାଯାଇଥିଲା, ଯାହା ଏବେ ମଧ୍ୟ ସ୍ଥିର ରହିଛି।