ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ରେଳବାଇ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସାଉଥ୍କୋଷ୍ଟ ରେଲୱେ ୫ଟି ଟ୍ରେନ୍ ଚଳାଚଳ ବାତିଲ କରିଥିବା ନେଇ ଘୋଷଣା କରିଛି। ବାତିଲ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ୩ଟି ଏକ୍ସପ୍ରେସ୍ ଏବଂ ୨ଟି ପାସେଞ୍ଜର ଟ୍ରେନ୍ ରହିଛି। ସୂଚନା ଅନୁସାରେ, ବାତିଲ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ବିଶାଖାପାଟଣା-କିରଣ୍ଡୁଲ୍ ଏକ୍ସପ୍ରେସ୍ (୧୮୫୧୫/୧୮୫୧୬), ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍ (୧୮୫୧୨) ଏବଂ ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ୍ (୧୮୪୪୭/୧୮୪୪୮) ରହିଛି। ଏହା ସହିତ କୋରାପୁଟ-ବିଶାଖାପାଟଣା ପାସେଞ୍ଜର (୫୮୫୩୭) ଓ ବିଶାଖାପାଟଣା-କିରାଣ୍ଡୁଲ୍ ପାସେଞ୍ଜର (୫୮୫୦୧) ଟ୍ରେନ୍କୁ ମଧ୍ୟ ବାତିଲ କରାଯାଇଛି। ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାରେ ପ୍ରଭାବ ପକାଇବା ନେଇ ଆଶଙ୍କା କରାଯାଉଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଦେଇ ଯାତାୟାତ କରୁଥିବା ଟ୍ରେନ୍ଗୁଡ଼ିକ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ଏହି ବୈଠକରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅନ୍ୟ ଟ୍ରେନ୍ଗୁଡ଼ିକର ଚଳାଚଳ ବାତିଲ୍ କିମ୍ବା ପରିବର୍ତ୍ତନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।