ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ବଡ଼ ସୂଚନା ପ୍ରଦାନ କରିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନିଭୂତ ହୋଇ ଆଗାମୀ ୨୬ ତାରିଖ ସକାଳ ସୁଦ୍ଧା ଏକ ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଇଛି। ଆଜି ସକାଳେ ସୃଷ୍ଟି ହୋଇଥିବା ଏହି ଲଘୁଚାପ କ୍ଷେତ୍ରଟି କ୍ରମଶଃ ଘନିଭୂତ ହୋଇ ପ୍ରଥମେ ଅବପାତ ଏବଂ ଆସନ୍ତା ୨୫ ତାରିଖ ବେଳକୁ ଏକ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୮ ତାରିଖ ଭୋର ସମୟରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଅତିକ୍ରମ କରିପାରେ। ତେବେ ବାତ୍ୟା ପ୍ରଭାବରେ ପବନର ସର୍ବାଧିକ ବେଗ କେତେ ରହିବ, ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ପୂର୍ବାନୁମାନ କରାଯାଇ ନାହିଁ। ଗଭୀର ଅବପାତରେ ପରିଣତ ହେବା ପରେ ପବନର ବେଗ ଏବଂ ଏହାର ପ୍ରକୃତି ସମ୍ପର୍କରେ ସଠିକ୍ ଆକଳନ କରାଯାଇପାରିବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି। ସାମୁଦ୍ରିକ ଝଡ଼ର ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ସମୁଦ୍ର ଅଶାନ୍ତ ରହୁଥିବାରୁ ଆସାମୀ ୨୫ ତାରିଖ ପର୍ଯ୍ୟନ୍ତ ପୂର୍ବ କେନ୍ଦ୍ରୀୟ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ କଡ଼ା ନିଷେଧାଦେଶ ଜାରି କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ସମ୍ପୃକ୍ତ ଅଞ୍ଚଳଗୁଡ଼ିକୁ ସତକର୍ମ କରାଯାଇଛି।