ILS ନିର୍ଦ୍ଦେଶକ ପଦ୍ମଶ୍ରୀ ଡା. ଅଜୟ ପରିଡ଼ା ଙ୍କ ପରଲୋକ

ILS ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା ଙ୍କ ପରଲୋକ I ଗୌହାଟୀ ରେ ଏକ କନ୍ଫରେନ୍ସ ରେ ଯୋଗ ଦେବାକୁ ଯାଇଥିବା ସମୟରେ ଆଜି ସକାଳେ ହୃଦଘାତ ରେ ତାଙ୍କର ମୃତ୍ୟୁ ଘଟିଛି I ମୃତ୍ୟୁବେଳକୁ ଅଜୟ ପରିଡ଼ାଙ୍କୁ ୫୮ବର୍ଷ ହୋଇଥିବା ଜଣାପଡିଛି । ଏନେଇ ଆଇଏଲଏସ୍‌ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଖବର ପାଇ ଗୌହାଟୀ ଯାଇଛନ୍ତି ଅଜୟଙ୍କ ପାରିବାର ଲୋକେ​‌ । ସେମାନେ ସେଠରେ ପହଞ୍ଚିବା ପରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯିବ । ଆସନ୍ତାକାଲି ତାଙ୍କ ପ୍ରାର୍ଥିବ ଶରୀର ଓଡ଼ିଶା ଆସିବ ।

ଆଜି ସକାଳେ ଗୌହାଟୀସ୍ଥିତ ନିଜ ହୋଟେଲ ରୁମ୍‌ରେ ଡା. ପରିଡ଼ାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଡା. ପରିଡ଼ା ଜଣେ ଅମାୟିକ, ନିଷ୍କପଟ ଓ ଜ୍ଞାନୀ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗ ସମଗ୍ର ରାଜ୍ୟବାସୀଙ୍କୁ ଏକ ଶକ୍ତ ଝଟକା ଦେଇଛି।

ରାଜ୍ୟରେ କୋଭିଡ ମହାମାରୀ ବ୍ୟାପୁଥିବା ସମୟରେ ILS ନିର୍ଦ୍ଦେଶକଙ୍କ ପରିଚାଳନା ଏବଂ କରୋନା ପରୀକ୍ଷଣ ( ଟେଷ୍ଟିଂ)ର ତାଙ୍କ ଭୂମିକା ଥିଲା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଏପିରିକି ରାଜ୍ୟବାସୀଙ୍କୁ କୋଭିଡ଼ ମହାମାରୀ ନେଇ ସବୁବେଳେ ସତର୍କ କରାଉଥିଲେ ଅଜୟ ପରିଡ଼ା । ଏଭଳି କଠିନ ସମୟରେ ଆମେ କଣ କରିବା ଉଚିତ୍‌, କଣ ନକିରବା ଉଚିତ୍‌ । ସେନେଇ ରାଜ୍ୟବାସୀଙ୍କୁ ଅବଗତ କରାଉଥିଲେ । କରୋନାର ବିଭିନ୍ନ ପ୍ରକାର ଭାରିଆଣ୍ଟର ତଥ୍ୟ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଉଥିଲେ ଅଜୟ । ନିଜ କାର୍ଯ୍ୟକ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସେ ପୂର୍ବରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଡା. ପରିଡ଼ାଙ୍କ ଅକାଳ ବିୟୋଗ ତାଙ୍କ ପରିବାର ସମେତ ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି ।