ଚନ୍ଦ୍ରଭାଗା ସମୁଦ୍ରର ନିଷିଦ୍ଧାଞ୍ଚଳରେ ବେଆଇନ ଟ୍ରଲର ଅଲିଭ୍ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ବାଧାପ୍ରାପ୍ତ

ଭୁବନେଶ୍ବର : ସମ୍ପ୍ରତି ବିରଳ ଅଲିଭ୍ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ଏଥିରେ ବାଧକ ସାଜିଛି ଟ୍ରଲର୍ । ଚନ୍ଦ୍ରଭାଗା ସମୁଦ୍ରର ନିଷିଦ୍ଧାଞ୍ଚଳରେ ବେଆଇନ ଟ୍ରଲର୍ ବୁଲୁଥିବାର ଦେଖାଯାଇଛି । ଅଲିଭ୍ ରିଡ୍‌ଲେଙ୍କ ବଂଶ ବୃଦ୍ଧି ଓ ଏହାର ସୁରକ୍ଷା ନେଇ ବିଶ୍ୱର ସମସ୍ତ ଦେଶ ଅଣ୍ଟା ଭିଡି ବିଭିନ୍ନ ନିତିନିୟମ ସହିତ କଟକଣା ଲାଗୁକରିଛନ୍ତି । ଏହି ବିରଳ ଜନ୍ତୁଙ୍କୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଅନେକ ଫୋରମ୍ କାର୍ଯ୍ୟ ମଧ୍ୟ କରୁଛି । ଆମ ରାଜ୍ୟ ସରକାର ମଧ୍ୟ ଅନେକ ନୀତି ନିୟମ ସହିତ କଟକଣା ଲାଗୁକରି ଏହାର ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି । ଶୀତଋତୁ ଆରମ୍ଭ ପରେ ଏବେ ବଙ୍ଗୋପସାଗର ମୁହାଁ ଏହି ବିରଳ ଅଲିଭ ରିଡ୍‌ଲେ କଇଁଛ । ଅଲିଭ ରିଡଲେଙ୍କ ପାଇଁ ଭୂସ୍ୱର୍ଗ କୁହାଯାଉଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ, ଚନ୍ଦ୍ରଭଗାଠାରୁ ବ୍ରହ୍ମଗିରି ପର୍ଯ୍ୟନ୍ତ ବେଳାଭୂମିରେ ଏମାନେ ନିର୍ଭୟରେ ଚରାବୁଲା କରି ଅଣ୍ଡା ଦାନ ପକ୍ରିୟା ଆରମ୍ଭ କରିଥାନ୍ତି । ଏମାନଙ୍କ ପ୍ରଜନନ ସମୟ ହେଉଛି ନଭେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ । ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗାଠାରୁ କୁଶଭଦ୍ରା କୂଳ ସେମାନଙ୍କୁ ସବୁବେଳେ ଆକର୍ଷିତ କରିଥାଏ । ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନ ପକ୍ରିୟା ପାଇଁ ସରକାର ରାଜକୋଷରୁ କୋଟି କୋଟି ଟଙ୍କାର ଅର୍ଥ ଖର୍ଚ୍ଚ କରିଥାନ୍ତି । ସରକାର ନଭେମ୍ବର ପ୍ରଥମ ସପ୍ତାହର ୧ ତାରିଖରୁ ମେ’ ଦୀର୍ଘ ୭ ମାସ ପର୍ଯ୍ୟନ୍ତ ସମୁଦ୍ର ଗର୍ଭରେ ଟ୍ରଲର ଓ ମେସିନ୍ ଡଙ୍ଗା ଚଳପ୍ରଚଳକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ଘୋଷଣା କରାଇବା ସହ ଜୀବିକା ହରାଉଥିବା ମତ୍ସ୍ୟଜୀବୀଙ୍କୁ ମାସିକ ଆର୍ôଥକ ସହାୟତା ଯୋଗାଇ ଦେଇଥାନ୍ତି । ଯଦି କୌଣସି ଟ୍ରଲର ଓ ମେସିନ୍ ଡଙ୍ଗାର ମାଲିକ ସରକାରୀ ନିୟମ ଉଲ୍ଲଙ୍ଘନ କରି ଏହି ମାସ ମଧ୍ୟରେ ସମୁଦ୍ରକୂଳରୁ ସମୁଦ୍ର ମଧ୍ୟକୁ ୫ କିଲୋମିଟର ପରିଧି ମଧ୍ୟରେ ଟ୍ରଲର ଚଳାଚଳ କରନ୍ତି ତେବେ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ କଡା ନିୟମ ରହିଛି । ମାତ୍ର ଗୋଟିଏ ପଟେ ସରକାରୀ ନିର୍ଦ୍ଦେଶନାମା ମୁତାବକ ଟ୍ରଲର ଚଳାଚଳ ଉପରେ କଟକଣା ଲାଗୁ ହୋଇଥିବା ବେଳେ ଅନ୍ୟପଟେ ଚନ୍ଦ୍ରଭାଗା ସମୁଦ୍ର ଗର୍ଭରେ କୂଳଠାରୁ ମାତ୍ର ୧ କି.ମି ଭିତରେ ଅନେକ ସଂଖ୍ୟାରେ ଟ୍ରଲର ଦିନ ଦିପହର ଚଳାଚଳ କରୁଥିବାର ଜାତୀୟ ରାଜପଥ ରାସ୍ତା ଉପରେ ସମସ୍ତଙ୍କୁ ଦେଖାଯାଉଛି । ଏହା ଦ୍ୱାରା ମାଛ ମରାଯାଉଛି । ମାତ୍ର ବିଭାଗୀୟ ଅଧିକାରୀମାନେ ଜାଣି ନଜାଣିଲା ପରି କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ନିଷ୍କ୍ରିୟ ରହୁଛନ୍ତି । ଫଳରେ ଏହି ବିରଳ ଅଲିଭ୍ ରିଡ୍‌ଲେ କଇଁଛଙ୍କର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତୁରନ୍ତ ଏ ଦିଗରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ଚଳାଚଳ କରୁଥିବା ଟ୍ରଲର ଓ ମେସିନ୍ ଡଙ୍ଗାଗୁଡ଼ିକୁ ଜବତ କରାଯିବାକୁ ଦାବି ହୋଇଛି ।