ନୂଆଦିଲ୍ଲୀ: କ୍ୟୁଏସ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ ଏସିଆ ୨୦୨୭ ଜାରି ହୋଇଛି। ଏଥର ତାଲିକାରେ ଭାରତର ୩୨୫ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିବାବେଳେ ସେଥିରେ ୩୪ଟି ନୂଆ ଅନୁଷ୍ଠାନ ଯୋଡ଼ି ହୋଇଛନ୍ତି। ଏହା ସହ ଭାରତ ଚୀନ ପରେ ଏସିଆର ଦ୍ୱିତୀୟ ବୃହତ୍ତମ ଉଚ୍ଚ ଶିକ୍ଷା ବ୍ୟବସ୍ଥା ହୋଇପାରିଛି। ପ୍ରକାଶିତ ରାଙ୍କିଙ୍ଗରେ ମୋଟ ୨୬ଟି ଉଚ୍ଚ ଶିକ୍ଷା ବ୍ୟବସ୍ଥାର ୧୭୨୨ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛନ୍ତି। ତେବେ ତାଲିକାରେ ପ୍ରତିନିଧିତ୍ୱ ବଢ଼ିଥିଲେ ମଧ୍ୟ ଭାରତର ଶ୍ରେଷ୍ଠ ୬ଟି ପ୍ରମୁଖ ଅନୁଷ୍ଠାନର ରାଙ୍କ ଗତବର୍ଷ ତୁଳନାରେ ତଳକୁ ଖସିଛି। ଦେଶର ସର୍ବୋଚ୍ଚ ଶିକ୍ଷାନୁଷ୍ଠାନ ଭାବେ ଆଇଆଇଟି ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଛି, କିନ୍ତୁ ଏସିଆ ସ୍ତରରେ ଏହା ୫୯ରୁ ଖସି ୬୬ତମ ସ୍ଥାନକୁ ଚାଲିଯାଇଛି। ସେହିପରି ଆଇଆଇଏସସି ବେଙ୍ଗାଲୁରୁ ୭୯ତମ ରାଙ୍କ ସହ ଭାରତରେ ଦ୍ୱିତୀୟ, ଆଇଆଇଟି ବମ୍ବେ ୮୩, ଆଇଆଇଟି ମାଡ୍ରାସ ୮୫, ଆଇଆଇଟି ଖଡ଼ଗପୁର ୯୦ ଏବଂ ଆଇଆଇଟି କାନପୁର ୯୭ତମ ସ୍ଥାନରେ ରହିଛନ୍ତି। ଏହି ସମସ୍ତ ୬ଟି ଅନୁଷ୍ଠାନର ରାଙ୍କ ଗତ ବର୍ଷ ତୁଳନାରେ ହ୍ରାସ ପାଇଛି। ସେହିପରି ଦିଲ୍ଲୀ ବିଶ୍ୱବିଧାୟଳୟ ମଧ୍ୟ ଟପ୍ ୧୦୦ରୁ ବାହାରି ୯୫ରୁ ୧୦୬ତମ ସ୍ଥାନକୁ ଖସିଆସିଛି। ଅନ୍ୟପକ୍ଷରେ, ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ୧୦୯ରୁ ୧୦୪ ଏବଂ ଲଭଲି ପ୍ରୋଫେସନାଲ ୟୁନିଭର୍ସିଟି ୧୮୭ରୁ ୧୫୪ତମ ସ୍ଥାନକୁ ଉନ୍ନତ ପ୍ରଦର୍ଶନ କରିଛନ୍ତି।