ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ମାମଲା: ମୋବାଇଲ୍ କଲ୍ ରେକର୍ଡ ଓ ବ୍ୟାଙ୍କ କାରବାରରୁ ଖୋଲିବ ରହସ୍ୟ

ଭୁବନେଶ୍ବର: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ ଜାରି ରହିଛି। ପାରିବାରିକ ଅଶାନ୍ତି ନା ଚାକିରି ଗତ ଚାପ, କେଉଁ କାରଣ ପାଇଁ ମ୍ୟାଡାମ ଏଭଳି ଚରମ ନିଷ୍ପତ୍ତି ନେଲେ, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଯଦିଓ ଏହା ତାଙ୍କର ବ୍ୟକ୍ତିଗତ କାରଣ ବୋଲି ପୋଲିସ କମିଶନର ପ୍ରାଥମିକ ସୂଚନା ଦେଇଥିଲେ, ତେବେ ଏହା ପଛର ପ୍ରକୃତ ସତ୍ୟକୁ ସାମ୍ନାକୁ ଆଣିବା ପାଇଁ କମିଶନରେଟ୍ ପୋଲିସ ତତ୍ପରତା ପ୍ରକାଶ କରିଛି। ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା କଟକ ଡିସିପି  ଋଷିକେଶ ଡି. ଖିଲାରୀ ସୂଚନା ଦେଇଛନ୍ତି। ଜଣେ ଅତିରିକ୍ତ ଡିସିପି, ଜଣେ ଏସିପି ଏବଂ ଦୁଇ ଜଣ ଆଇଆଇସିଙ୍କ ନେତୃତ୍ୱରେ ଏହି ହାଇପ୍ରୋଫାଇଲ୍ ମାମଲାର ଛାନଭିନ୍ ଚାଲିଛି। ଡିସିପିଙ୍କ କହିବା ଅନୁଯାୟୀ, ସ୍ୱର୍ଗତ ବିୟୁଟି ମହାନ୍ତିଙ୍କ ମୋବାଇଲ୍ ଫୋନ୍‌କୁ ଜବତ କରାଯାଇ ବୈଜ୍ଞାନିକ ପରୀକ୍ଷା ପାଇଁ ଫରେନସିକ ଲ୍ୟାବ୍‌କୁ ପଠାଯାଇଛି। ଲ୍ୟାବ୍ ରିପୋର୍ଟ ଆସିବା ପରେ ଅନେକ ଗୁପ୍ତ ତଥ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି।