୩୧ ତାରିଖ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ ନକଲେ ବନ୍ଦ ହେବ ଦରମା

ଆସନ୍ତା ଜାନୁୟାରୀ ୩୧ ତାରିଖ ସୁଦ୍ଧା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମସ୍ତ ସରକାରୀ କର୍ମଚାରୀ ଅନ୍‌ଲାଇନ୍‌ରେ ନିଜ ନିଜ ସମ୍ପତ୍ତି ତାଲିକା ଦେବେ । ନିର୍ଦ୍ଧାରିତ ଫର୍ମାଟ୍‌ରେ ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ତାଲିକା ଦାଖଲ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ.ଅରବିନ୍ଦ କୁମାର ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ୩୧ ତାରିଖ ସୁଦ୍ଧା କର୍ମଚାରୀମାନେ ସମ୍ପତ୍ତି ତାଲିକା ଦାଖଲ ନକଲେ ଆସନ୍ତା ଫେବୃୟାରୀ ମାସ ପରଠାରୁ ସମ୍ପତ୍ତି ତାଲିକା ଦାଖଲ ପର୍ଯ୍ୟନ୍ତ ସେମାନଙ୍କର ଦରମା ବନ୍ଦ ରହିବ ବୋଲି ଏକ ଚିଠିରେ ଜଣାଇ ଦିଆଯାଇଛି । ଅଫିସ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ଡିଲ୍‌ କରୁଥିବା ସମ୍ପୃକ୍ତ ଅଫିସର ଦରମା ପ୍ରଦାନକାରୀ ଅଧିକାରୀଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମ୍ପତ୍ତି ତାଲିକା ଦାଖଲ କରିନଥିବା କର୍ମଚାରୀମାନଙ୍କର ତାଲିକା ପ୍ରଦାନ କରିବେ । ଏହି ନିର୍ଦ୍ଦେଶନାମା ବିଭାଗର କେନ୍ଦ୍ରୀୟ ସେବା ଓ ସର୍ବଭାରତୀୟ ସେବାର ପଦାଧିକାରୀଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ ବୋଲି ଡ. ପାଢ଼ୀ ସ୍ପଷ୍ଟ କରିଛନ୍ତି।

ଓଡ଼ିଶା ଗଭର୍ଣ୍ଣମେଣ୍ଟ ସର୍ଭାଣ୍ଟ କଣ୍ଡକ୍ଟ (ଆମେଣ୍ଡମେଣ୍ଟ) ରୁଲସ୍‌ ୨୦୨୧ ଅନୁସାରେ ସମସ୍ତ ସରକାରୀ କର୍ମଚାରୀଙ୍କ ନିମନ୍ତେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବା ବାଧ୍ୟତାମୂଳକ । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଚିଠି ଅନୁଯାୟୀ ସମସ୍ତ କର୍ମଚାରୀ ତାଙ୍କର ବାର୍ଷିକ ସମ୍ପତ୍ତି ତାଲିକା ଜାନୁଆରୀ ଶେଷ ସୁଦ୍ଧା ଅନ୍‌ଲାଇନ୍‌ରେ ଦାଖଲ ପାଇଁ ପରାମର୍ଶ ଦିଆଯାଇଥିଲା । ପଦୋନ୍ନତି ନିମନ୍ତେ ଏହି ସମ୍ପତ୍ତି ତାଲିକା ଦାଖଲ ବହୁ ଜରୁରୀ ।