ସିସିଟିଭି ଆଗରେ ଛତା ଦେଖାଇ ମନ୍ଦିରରୁ ମୂର୍ତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ବୁଢ଼ାଲୋ ଗ୍ରାମସ୍ଥିତ ମା’ ବୁଢ଼ୀ ନାହାକାଣୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମୂର୍ତ୍ତି ସହ ଅଳଙ୍କାର ଓ ପୂଜା ସାମଗ୍ରୀ ଲୁଟ୍ କରିନେଇଛନ୍ତି। ଚୋରି ସମୟରେ ଚାଲାକ ଦୁର୍ବୃତ୍ତମାନେ ସିସିଟିଭି କ୍ୟାମେରା ସମ୍ମୁଖରେ ଛତା ଆଢ଼ୁଆଳ କରି ଏହି କାଣ୍ଡ ଭିଆଇଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ବୁଢ଼ାଲୋ ଗ୍ରାମରେ ତୀବ୍ର ଅସନ୍ତୋଷ ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ୪ ବର୍ଷ ତଳେ ଏହି ଠାକୁରାଣୀ ପୀଠର ମାଲିକାନାକୁ ନେଇ ବୁଢ଼ାଲୋ ଏବଂ ପଡ଼ୋଶୀ ସୁବାଲୋ ଗ୍ରାମବାସୀଙ୍କ ମଧ୍ୟରେ ଗୁରୁତର ବିବାଦ ଉପୁଜିଥିଲା। ସେହି ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ମୂର୍ତ୍ତି ଚୋରି କରାଯାଇ ସୁବାଲୋ ଗାଁରେ ରଖାଯାଇଥିବା ନେଇ ବୁଢ଼ାଲୋ ଗ୍ରାମବାସୀ ସିଧାସଳଖ ଅଭିଯୋଗ ଆଣିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଚୋରି ହୋଇଥିବା ମୂର୍ତ୍ତି ଉଦ୍ଧାର ହୋଇପାରିନାହିଁ। ଘଟଣାସ୍ଥଳରେ କମିଶନରେଟ୍ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଗଣ୍ଡଗୋଳ ଆଶଙ୍କାରେ ବାଲିଅନ୍ତା ଥାନା ପୁଲିସ ଗ୍ରାମରେ ମୁତୟନ ରହି ପରିସ୍ଥିତି ଉପରେ ନଜର ରଖିଛି।