ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌: ପାକ୍ ପଞ୍ଝାରୁ ମ୍ୟାଚ୍ ଝାମ୍ପିନେଲେ କୋହଲି

ମେଲ୍‌ବର୍ଣ୍ଣ: ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ଆଣିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ନିକଟ ଅତୀତରେ ଦୁର୍ବଳ ଫର୍ମ କାରଣରୁ ଯେଉଁ ପ୍ରଶଂସକମାନେ କୋହଲିଙ୍କୁ ଟି-୨୦ ଫର୍ମାଟ୍‌ରୁ ଅବସର ନେଇଯିବା ଉଚିତ ବୋଲି ମତ ଦେଇଥିଲେ, ସେମାନଙ୍କୁ ନିଜର ଚମତ୍କାର ଇନିଂସ ମାଧ୍ୟମରେ ଚୁପ୍ କରାଇଦେଇଛନ୍ତି ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଜଣକ । ରବିବାର ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ସୁପର୍‌-୧୨ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ମାତ୍ର ୫୩ଟି ବଲ୍‌ର ସମ୍ମୁଖୀନ ହୋଇ ୮୨ ରନ୍‌ର ଅପରାଜିତ ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି । ଏହି ଅବିଶ୍ୱସନୀୟ ଇନିଂସ ପାଇଁ ତାଙ୍କୁ ନିଦ୍ୱର୍ନ୍ଦ୍ୱରେ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି । ଏହି ରୋମାଞ୍ଚଭରା ମ୍ୟାଚ୍‌ରେ ଏକଦା ଭାରତ ମାତ୍ର ୩୧ ରନ୍‌ରେ ୪ଟି ୱିକେଟ୍ ହରାଇବା ଫଳରେ ଭାରତୀୟ କ୍ରିକେଟ୍‌ପ୍ରେମୀ ବିଜୟ ଆଶା ଛାଡ଼ିଦେଇଥିଲେ । ତେବେ କ୍ରିକେଟ୍ ଏକ ଅନିଶ୍ଚିତତାର ଖେଳ ବୋଲି ଯେଉଁମାନଙ୍କର ବିଶ୍ୱାସ ଥିଲା ସେମାନେ ଉତ୍ସୁକତାର ସହ ଫଳାଫଳକୁ ଅପେକ୍ଷା କରିଥିଲେ । ସେମାନଙ୍କୁ ନିରାଶ ନ କରି କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ୱିକେଟ୍‌ରେ ୧୧୩ ରନ୍ ଯୋଡ଼ି ଭାରତକୁ ବିଜୟ ନିକଟତର କରାଇଥିଲେ । ଅନ୍ତିମ ୩ ଓଭର୍‌ରେ ବିଜୟ ପାଇଁ ଦଳ ୪୮ ରନ୍ ଆବଶ୍ୟକ କରୁଥିଲା । ଇନିଂସର ଅଷ୍ଟାଦଶ ଓଭର୍ ପାକିସ୍ତାନର ତାରକା ପେସର୍ ଶାହିନ୍ ଶାହ ଆଫ୍ରିଦି ବୋଲିଂ କରିଥିବା ବେଳେ ଉକ୍ତ ଓଭର୍‌ରୁ କୋହଲି-ହାର୍ଦ୍ଦିକ ଯୋଡ଼ି ୪ଟି ଚୌକା ସହ ୧୭ ରନ୍ ସଂଗ୍ରହ କରିଥିଲେ । ତେଣୁ ଅନ୍ତିମ ଦୁଇ ଓଭର୍‌ରେ ବିଜୟ ପାଇଁ ୩୧ ରନ୍‌ର ଆବଶ୍ୟକତା ଥିଲା । ପାକିସ୍ତାନର ଭରସାଯୋଗ୍ୟ ପେସର୍ ହ୍ୟାରିସ୍ ରୌଫ୍ ଉକ୍ତ ଓଭର୍ ବୋଲିଂ କରିବାକୁ ଆସିଥିଲେ । ରୌଫ୍ ମଧ୍ୟ ପ୍ରଥମ ୪ଟି ବଲ୍‌ରେ ମାତ୍ର ୩ ରନ୍ ଦେଇ ଅଧିନାୟକ ବାବର୍ ଆଜମ୍‌ଙ୍କ ବିଶ୍ୱାସକୁ ସଠିକ୍ ସାବ୍ୟସ୍ତ କରିଥିଲେ । କିନ୍ତୁ ଅନ୍ତିମ ଦୁଇ ବଲ୍‌ରେ କୋହଲିଙ୍କ ଦ୍ୱୈତ ଛକା ବଳରେ ମ୍ୟାଚ୍‌ର ମୋଡ଼ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଥିଲା । ଉକ୍ତ ଓଭର୍‌ରେ ୧୫ ରନ୍ ଆସିବା ଫଳରେ ଅନ୍ତିମ ଓଭର୍‌ରୁ ୧୬ ରନ୍ ଲୋଡ଼ିଥିଲା ଭାରତ । ଉକ୍ତ ଓଭର୍‌ର ଦାୟିତ୍ୱ ସ୍ପିନର୍ ମହମ୍ମଦ ନୱାଜ୍‌ଙ୍କୁ ଦେଇଥିଲେ ଅଧିନାୟକ ବାବର୍ । ଉକ୍ତ ଓଭର୍‌ର ପ୍ରଥମ ବଲ୍‌ରେ ହାର୍ଦ୍ଦିକ କ୍ୟାଚ୍ ଆଉଟ୍ ହେବା ଫଳରେ ପାକିସ୍ତାନ ପ୍ରଶଂସକ ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ । ପରବର୍ତ୍ତୀ ବଲ୍‌ରେ ଦୀନେଶ କାର୍ତ୍ତିକ ୧ ରନ୍ ନେଇ ସେଟ୍ ବ୍ୟାଟ୍ସମ୍ୟାନ୍ କୋହଲିଙ୍କୁ ଷ୍ଟ୍ରାଇକ୍ ଦେଇଥିଲେ । କୋହଲି ଓଭର୍‌ର ତୃତୀୟ ବଲ୍‌ରେ ୨ ରନ୍ କରିବା ସହ ପରବର୍ତ୍ତୀ ବଲ୍‌କୁ ଛକା ଲଗାଇଥିଲେ । ଉକ୍ତ ବଲ୍‌ଟିକୁ ମଧ୍ୟ ବୋଲର୍ ଉଚ୍ଚତା ଦୃଷ୍ଟିରୁ ନୋ ବଲ୍ ଘୋଷଣା କରିଥିଲେ । ତେଣୁ ଅନ୍ତିମ ୩ ବଲ୍‌ରେ ବିଜୟ ପାଇଁ ମାତ୍ର ୬ ରନ୍ ଦରକାର ହେଉଥିଲା । ଫ୍ରି ହିଟ୍ ପାଇଁ ଉଦ୍ଦିଷ୍ଟ୍ ବଲ୍‌ଟିକୁ ନୱାଜ୍ ୱାଇଡ୍ ପକାଇଥିଲେ । ତେଣୁ ଏବେ ୩ ବଲ୍‌ରୁ ୫ ରନ୍ ଦରକାର ପଡ଼ିଥିଲା । ପରବର୍ତ୍ତୀ ବଲ୍‌ରେ ଯଦିଓ ନୱାଜ୍ କୋହଲିଙ୍କୁ ବୋଲ୍‌ଡ ଆଉଟ୍ କରିଦେଇଥିଲେ, କିନ୍ତୁ ଉକ୍ତ ବଲ୍‌ଟି ଫ୍ରି ହିଟ୍ ଥିବାରୁ ଦୁଇ ବ୍ୟାଟ୍ସମ୍ୟାନ୍ ଉକ୍ତ ବଲ୍‌ରେ ୩ ରନ୍ ସଂଗ୍ରହ କରିଥିଲେ । କାରଣ ବଲ୍‌ଟି ଷ୍ଟମ୍ପ୍ସରେ ବାଜିବା ପରେ ଥାର୍ଡ ମ୍ୟାନ୍ ଅଞ୍ଚଳକୁ ଚାଲିଯାଇଥିଲା । ଏବେ ଅନ୍ତିମ ୨ଟି ବଲ୍‌ରେ ଭାରତ ମାତ୍ର ୨ ରନ୍ ଆବଶ୍ୟକ କରୁଥିଲା । ତେବେ ଓଭର୍‌ର ପଞ୍ଚମ ବଲ୍‌ରେ କାର୍ତ୍ତିକ ଆଉଟ୍ ହେବା ଫଳରେ ଭାରତ ଷଷ୍ଠ ୱିକେଟ୍ ହରାଇଥିଲା । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ସମ୍ମୁଖୀନ ହୋଇଥିବା ଅନ୍ତିମ ବଲ୍‌ଟିକୁ ଚତୁରତା ପୂର୍ବକ ୱାଇଡ୍ କରାଇଦେଇଥିଲେ । ଫଳତଃ ସ୍କୋର୍ ବରାବର ହୋଇଯାଇଥିଲା । ଶେଷ ବଲ୍‌ଟିକୁ ସେ ମିଡ୍‌ଅଫ୍ ଉପରେ ଉଠାଇ ମାରିବା ସହ ବେଶ୍ ସହଜରେ ବିଜୟସୂଚକ ରନ୍ ସଂଗ୍ରହ କରିନେଇଥିଲେ । ଏହି ଅବିଶ୍ୱସନୀୟ ବିଜୟ ପରେ ଭାରତୀୟଙ୍କ ମଧ୍ୟରେ ସେଲିବ୍ରେସନ୍ ଆରମ୍ଭ ହୋଇଯାଇଥିବା ବେଳେ ପାକିସ୍ତାନୀ ଖେଳାଳି ଓ ପ୍ରଶଂସକଙ୍କ ମଧ୍ୟରେ ନୈରାଶ୍ୟଭାବ ଖେଳିାଯାଇଥିଲା ।
ପୂର୍ବରୁ ପ୍ରଥମେ ବ୍ୟାଟିଂ ପାଇ ପାକିସ୍ତାନ ୬ ୱିକେଟ୍‌ରେ ୧୬୦ ରନ୍ କରିଥିଲା । ଦଳର ଦୁଇ ଭରସାଯୋଗ୍ୟ ଓପନର ଅଧିନାୟକ ବାବର୍ ଆଜମ୍ ଓ ମହମ୍ମଦ ରିଜୱାନ୍ ଦଳୀୟ ସ୍କୋର୍ ୧୫ରେ ପହଞ୍ଚିବା ବେଳକୁ ଆଉଟ୍ ହୋଇସାରିଥିଲେ । ଉଭୟଙ୍କୁ ଯୁବ ପେସର୍ ଅର୍ଶଦୀପ ସିଂହ ଆଉଟ୍ କରିଥିଲେ । ତେବେ ତୃତୀୟ ୱିକେଟ୍‌ରେ ଶାନ୍ ମାସୁଦ୍ ଓ ଇଫ୍‌ତିକାର ଅହମ୍ମଦ ୭୬ ରନ୍ ଯୋଡ଼ି ସ୍ଥିତିକୁ ସୁଧାରିଥିଲେ । ଇଫ୍‌ତିକାର ୩୪ଟି ବଲ୍ ଖେଳି ୨ଟି ଚୌକା ଓ ୪ଟି ଛକା ସହ ୫୧ ରନ୍ କରି ଆଉଟ୍ ହେବା ପରେ ପାକିସ୍ତାନ ଶାଦାବ୍ ଖାନ୍‌, ହାଇଦର୍ ଅଲୀ ଓ ନୱାଜ୍‌ଙ୍କ ୱିକେଟ୍ ସଅଳ ହରାଇଥିଲା । କିନ୍ତୁ ଆଫ୍ରିଦି ୮ ବଲ୍‌ରେ ଗୋଟିଏ ଲେଖାଏଁ ଚୌକା ଓ ଛକା ଲଗାଇ ୧୬ ରନ୍ କରିଥିଲେ । ମାସୁଦ୍ ୫ଟି ଚୌକା ସହ ୫୨ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ତାଙ୍କ ସହ ଅପରାଜିତ ଥିବା ରୌଫ୍ ଗୋଟିଏ ଛକା ସହ ୬ ରନ୍ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ଓ ହାର୍ଦ୍ଦିକ ୩ଟି ଲେଖାଏଁ ଏବଂ ଭୁବନେଶ୍ୱର କୁମାର ଓ ମହମ୍ମଦ ଶମି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ସେହିପରି ବ୍ୟାଟିଂରେ କୋହଲିଙ୍କ ବ୍ୟତୀତ ହାର୍ଦ୍ଦିକ ଗୋଟିଏ ଚୌକା ଓ ୨ଟି ଛକା ସହ ୪୦ ଏବଂ ସୂର୍ଯ୍ୟକୁମାର ଯାଦବ ୨ଟି ଚୌକା ସହ ୧୫ ରନ୍ କରିଥିବା ବେଳେ ଦୁଇ ଓପନର୍ ଲୋକେଶ ରାହୁଲ୍ ଓ ଅଧିନାୟକ ରୋହିତ ଶର୍ମା ୪ ରନ୍ ଲେଖାଏଁ କରିଥିଲେ । ସେହିପରି ବୋଲିଂରେ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଥିବା ଅକ୍ଷର ପଟେଲ୍ ବ୍ୟାଟିଂରେ ମାତ୍ର ୨ ରନ୍‌ର ଯୋଗଦାନ ଦେଇପାରିଥିଲେ । ପାକିସ୍ତାନ ପକ୍ଷରୁ ବୋଲିଂରେ ରୌଫ୍ ଓ ନୱାଜ୍ ୨ଟି ଲେଖାଏଁ ଏବଂ ନସୀମ୍ ଶାହ ଗୋଟିଏ ୱିକେଟ୍ ନେଇଥିଲେ । ଅନ୍ୟପକ୍ଷରେ କୋହଲି ଓ ହାର୍ଦ୍ଦିକ ଟି-୨୦ କ୍ରିକେଟ୍‌ରେ ପାକିସ୍ତାନ ବିପକ୍ଷରେ ଦଳ ପକ୍ଷରୁ ସର୍ବାଧିକ ଭାଗୀଦାରୀର ରେକର୍ଡ ମଧ୍ୟ କରିଛନ୍ତି । ଏଥିସହ ଭାରତ ଗତ ବର୍ଷ ଦୁବାଇରେ ଆଇସିସି ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ହାତରୁ ବରଣ କରିଥିବା ପରାଜୟର ପ୍ରତିଶୋଧ ମେଲବର୍ଣ୍ଣଠାରେ ୩୬୪ ଦିନର ବ୍ୟବଧାନ ପରେ ନେଇପାରିଛି । ସେହିପରି ପାକିସ୍ତାନ ବିପକ୍ଷରେ ଟି-୨୦ ବିଶ୍ୱକପ୍‌ରେ ନିଜର ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିବା କୋହଲି ତାଙ୍କର ଅପରାଜିତ ୮୨ ରନ୍‌ର ଇନିଂସକୁ ଜୀବନର ସର୍ବଶ୍ରେଷ୍ଠ ବୋଲି ମଧ୍ୟ ଅଭିହିତ କରିଛନ୍ତି । ପ୍ରତିଯୋଗିତାରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ୨୭ ତାରିଖରେ ନେଦରଲାଣ୍ଡ୍‌ସ ବିପକ୍ଷରେ ଖେଳିବ ।