ଆଇଏଏସ୍ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର : ORHDC ଦୁର୍ନୀତି ମାମଲାରେ ରାୟ ଶୁଣାଇଛନ୍ତି କୋର୍ଟ । ଭୌମିକ ବିଲଡର ଲୋନ ଦୁର୍ନୀତି ମାମଲାରେ ତତ୍କାଳୀନ IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଦୋଷୀ ପ୍ରମାଣିତ କରିଛନ୍ତି କୋର୍ଟ । ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ I ଲୋକଙ୍କୁ ଘର ଦେବା ନାଁରେ ଟଙ୍କା ହଡ଼ପ ମାମଲାରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।

ଅଭିଯୁକ୍ତ ମାନେ ହେଲେ ସତ୍ୟ ପ୍ରକାଶ ବେହେରା, ସ୍ୱସ୍ତିକ ରଞ୍ଜନ ମହାପାତ୍ର( କମ୍ପାନୀ ସେକ୍ରେଟାରୀ), ଜ୍ଞାନେନ୍ଦ୍ର ସ୍ୱାଇଁ (ଆସିଷ୍ଟାଣ୍ଟ ସିଷ୍ଟମ ଅନାଲିଷ୍ଟ), ଭୂମିକା ବିଲଡର ମ୍ୟାନେଜିଙ୍ଗ ପାର୍ଟନର ଦେବଦତ୍ତ ରାୟ ଓ଼ ବିଭୁତି ଭୂଷଣ ସ୍ୱାଇଁ ।

ସୂଚନାନୁସାରେ ୨୦୦୦ ମସିହାରୁ ୨୦୦୧ ଯାଏଁ ବିନୋଦ କୁମାର ଓଆରଏଚ୍‌ଡିସିର ମ୍ୟାନେଜିଂ ଡାଇରେକ୍ଟର ଥିଲେ। ଏହି ସମୟରେ ସେ ଭୌମିକ ବିଲ୍ଡର୍ସର ୪ ଜଣଙ୍କୁ ୧୮ ଲକ୍ଷ ୫୦ ହଜାର ଟଙ୍କାର ଋଣ ପ୍ରଦାନ କରିଥିଲେ। ମାତ୍ର ଜାଲ୍ ପ୍ରମାଣ ପତ୍ର ଆଧାରରେ ଏହି ଋଣ ଦିଆଯାଇଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ଫଳରେ ରାଜ୍ୟ ସରକାର ବ୍ୟାପକ କ୍ଷତି ସହିଥିଲେ। ପରେ ଏହାର ଭିଜିଲାନ୍ସ ତଦନ୍ତ ପରେ ସେ ଦୋଷୀ ପ୍ରମାଣିତ ହୋଇଥିଲେ I

ଏହି ଦୁର୍ନୀତି ମାମଲାରେ ଚଳିତ ବର୍ଷ ସେପ୍ଟେମ୍ୱର ୨୯ ତାରିଖରେ ଭିଜିଲାନ୍ସ କୋର୍ଟ ଏକ ରାୟ ପ୍ରକାଶ କରିଥିଲେ । ଏଥିରେ କଟକ ସଦର ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍‌ ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଜେଲ୍‌ ଦଣ୍ଡ ଶୁଣାଇଥିଲେ କୋର୍ଟ । ପୂର୍ବତନ ଆଇଏଏସ୍‌ ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍‌ ଦଣ୍ଡ ମିଳିଥିବା ବେଳେ ମେଟ୍ରୋ ବିଲ୍ଡରର ନିର୍ଦ୍ଦେଶକ ପିୟୂଷ ମହାନ୍ତି ଏବଂ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନ ମହାପାତ୍ରଙ୍କୁ ୩ ବର୍ଷ ଲେଖାଏଁ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏଥିସହିତ ପ୍ରତ୍ୟେକଙ୍କୁ ୫୦ ହଜାର ଲେଖାଏଁ ଜରିମାନା କରିଛନ୍ତି କୋର୍ଟ । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‌ରେ ରହିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।