ନୂଆଦିଲ୍ଲୀ : ଭାରତୀୟ ବାୟୁସେନା (ଆଇଏଏଫ) ଏବେ ବିଶ୍ୱର ତୃତୀୟ ସବୁଠୁ ବଡ଼ ଓ ଶକ୍ତିଶାଳୀ ବାୟୁସେନାରେ ପରିଣତ ହୋଇଛି। ଆମେରିକା ଓ ଋଷିଆ ପଛକୁ ଏବେ ଭାରତର ନାମ ଇତିହାସ ପୃଷ୍ଠାରେ ଯୋଡି ହୋଇଯାଇଛି। ୱାର୍ଲଡ ଡାଇରେକ୍ଟରୀ ଅଫ ମଡର୍ଣ୍ଣ ମିଲେଟ୍ରି ଏୟାରକ୍ରାଫ୍ଟ (ଡବ୍ଲୁଡିଏମଏମଏ)ର ରିପୋର୍ଟ ଅନୁସାରେ ଭାରତୀୟ ବାୟୁସେନା ନିକଟରେ ପାଖାପାଖି ୧,୭୧୬ ଆକ୍ଟିଭ ବିମାନ ରହିଛି। ଏହି ବିମାନଗୁଡିକ ଆଟାକ୍, ଲଜିଷ୍ଟିକ୍, ସ୍ପେଶାଲ ମିସନ ଓ ସପୋର୍ଟ ଭଳି ଅଲଗା ଅଲଗା ବର୍ଗରେ ବାଣ୍ଟି ହୋଇ ଅଛନ୍ତି। ଏହି ବିମାନଗୁଡିକୁ ଯୁଦ୍ଧ, ଜରୁରିକାଳୀନ ମିସନ ଓ ବିଶେଷ ଅପରେସନରେ ବ୍ୟବହାର କରାଯାଉଛି ଓ ଭାରତୀୟ ବାୟୁସେନାର ସବୁଠୁ ବଡ଼ ଶକ୍ତିର ଅଂଶବିଶେଷ ହେଉଛନ୍ତି ଏହି ବିମାନ। ଆଇଏଏଫ ନା କେବଳ ଭାରତକୁ ଶତ୍ରୁ କବଳରୁ ରକ୍ଷା କରୁଛନ୍ତି ବରଂ ଶତ୍ରୁ ମନରେ ଭୟ ମଧ୍ୟ ସଞ୍ଚାର କରୁଛି। ଭାରତୀୟ ବାୟୁସେନାର ସ୍ଥାପନା ୮ ଅକ୍ଟୋବର ୧୯୩୨ ମସିହାରେ ହୋଇଥିଲା। ଆଇଏଏଫରେ ୧,୩୫,୦୦୦ ସକ୍ରିୟ ଓ ୧ଲକ୍ଷ ସଂରକ୍ଷିତ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହାର ମୁଖ୍ୟାଳୟ ନୂଆଦିଲ୍ଲୀରେ ରହିଛି ଓ ଏୟାରଚିଫ ମାର୍ଶଲ ଅମରପ୍ରିତ ସିଂହ ଏହାର ମୁଖ୍ୟ ଅଟନ୍ତି। ଭାରତୀୟ ବାୟୁସେନାର ଯୁଦ୍ଧବିମାନ ସ୍କ୍ୱାର୍ଡନରେ ଅଲଗା ଅଲଗା ପ୍ରକାରର ଯୁଦ୍ଧ ବିମାନ ରହିଛି।