ଝାରସୁଗୁଡ଼ା ଜିଲ୍ଲା ପ୍ରେସ କ୍ଲବର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନରେ କେନ୍ଦ୍ରମନ୍ତ୍ରୀ
ଝାରସୁଗୁଡ଼ା, ଜାନୁଆରୀ ୨୩ – ଝାରସୁଗୁଡ଼ା, ଜିଲ୍ଲା ପ୍ରେସ କ୍ଲବର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନରେ ଯୋଗଦେବା ଅବସରରେ ଝାରସୁଗୁଡ଼ାକୁ ଆହୁରି ସୁସମୃଦ୍ଧ କରିବା ଦିଗରେ ସହଯୋଗୀର ଦାୟିତ୍ୱ ନେବାକୁ ସାମ୍ବାଦିକମାନଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ଜଗତରେ ଝାରସୁଗୁଡ଼ା ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । ଝାରସୁଗୁଡ଼ାର ବିକାଶ କ୍ରମାଗତ ଭାବରେ ବୃଦ୍ଧି ହେଉଛି । ଝାରସୁଗୁଡ଼ା ଜିଲ୍ଲା ବହୁତ କମ ଅବଧିରେ ବିକଶିତ ହୋଇ ବିଶ୍ଵ ମାନଚିତ୍ରକୁ ଆସିଛି । ପୂଜ୍ୟ ବାପୁ ଝାରସୁଗୁଡ଼ା ଦେଇ ଓଡ଼ିଶାକୁ ଆଗମନ କରିଥିଲେ । ଅଗ୍ରଣୀ ଶିଳ୍ପାଞ୍ଚଳ ଭାବରେ ଝାରସୁଗୁଡ଼ାର ପରିଚୟ ରହିଛି । ଝାରସୁଗୁଡ଼ାର ସମ୍ଭାବନାକୁ ଉପଯୋଗ କରିବା ପାଇଁ ଜିଲ୍ଲାକୁ ଆହୁରି ଅନ୍ୱେଷଣ କରିବା ଦରକାର । ବହୁ ସଂସ୍କୃତି ଓ ଭାଷାଭାଷୀର ଲୋକମାନେ ବସବାସ କରୁଥିବାର ଜିଲ୍ଲା ଝାରସୁଗୁଡ଼ାରେ ବିମାନସେବା ସହ ପର୍ଯ୍ୟଟନ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର କାମ କରୁଛି । ଏଠାରେ ଶିଳ୍ପ ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବା ପାଇଁ ବିଭିନ୍ନ ଯୋଜନା ହେଉଛି । ହୀରାକୁଦ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା ଏବଂ ଦେବଗଡ଼ ଜିଲ୍ଲାକୁ ପର୍ଯ୍ୟଟନର ପେଣ୍ଠସ୍ଥଳୀ କରିବା ଆମର ଲକ୍ଷ୍ୟ ରହିଛି ।
ସେ କହିଛନ୍ତି ପ୍ରଜାତନ୍ତ୍ରରେ ସମାଜକୁ ଠିକ୍ ଭାବେ ଚଲାଇବା ପାଇଁ ସାମ୍ବାଦିକମାନଙ୍କ ଦାୟିତ୍ୱ ଅଧିକ । ଶିଳ୍ପସମୃଦ୍ଧ ଏହି ଝାରସୁଗୁଡ଼ା ଜିଲ୍ଲାକୁ ଆହୁରି ବିକଶିତ କରିବା ପାଇଁ ଜିଲ୍ଲାସ୍ତରର ସାମ୍ବାଦିକ ବନ୍ଧୁମାନଙ୍କ ବଡ ଦାୟିତ୍ୱ ରହିଛି । ଝାରସୁଗୁଡ଼ାରେ ଉଦ୍ୟୋଗ, ପର୍ଯ୍ୟଟନ ଓ କୃଷି ଆଧାରିତ ଅର୍ଥନୀତିକୁ ମଜଭୂତ୍ କରିବା ପାଇଁ ସାମ୍ବାଦିକମାନେ ସହଯୋଗୀ ହେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।