ରତ୍ନଭଣ୍ଡାର ଗଣତିମଣତି କଥା ମୁଁ ଜାଣି ନାହିଁ, ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ମୋତେ କିଛି ସୂଚନାଦେଇନାହାନ୍ତି :ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର: ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ପ୍ରସଙ୍ଗରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ବାବଦରେ ତାଙ୍କୁ କୌଣସି ସୂଚନା ଦିଆଯାଇ ନଥିବା କହିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଭୁବନେଶ୍ୱରର ଜାଗମରାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୫ ତାରିଖରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ପ୍ରଥମ ପର୍ଯ୍ୟାୟ ଗଣତିମଣତି ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଏହାପରେ ଆସନ୍ତା ଏପ୍ରିଲ ୮, ୯ ଏବଂ ୧୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଗଣତି ହେବା ନେଇ ଗତକାଲି ରାଜ୍ୟ ଆଇନ ମନ୍ତ୍ରୀ ସୂଚନା ଦେଇଥିଲେ। ମାତ୍ର ଏହାକୁ ନେଇ ଶଙ୍କରାଚାର୍ଯ୍ୟ କହିଛନ୍ତି, “ରତ୍ନଭଣ୍ଡାର ଗଣତିମଣତି କଥା ମୁଁ କିଛି ଜାଣି ନାହିଁ। ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ମୋତେ ଏ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି କିମ୍ବା ମୋ ସହ ଆଲୋଚନା କରିନାହାନ୍ତି।” ଶଙ୍କରାଚାର୍ଯ୍ୟ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମନ୍ଦିରର ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ସହ ପରାମର୍ଶ କରିବା ଆବଶ୍ୟକ। ମାତ୍ର ପ୍ରଶାସନ ପକ୍ଷରୁ ଏହି ନିୟମର ପାଳନ କରାଯାଉ ନଥିବା ସେ ଅଭିଯୋଗ କରିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ଏହି ବୟାନ ଏବେ ଓଡ଼ିଶାବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

I am not aware of the census of the Ratnabhandar