ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ୩ ନମ୍ବର କଲୋନୀରେ ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବା ପରେ ସ୍ୱାମୀ ମଧ୍ୟ ଆତ୍ମହତ୍ୟା କରିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ସୂଚନାନୁଯାୟୀ, କୌଣସି ଏକ କଥାକୁ ନେଇ ସ୍ୱାମୀ ରତ୍ନାକର ନାଏକ ଓ ସ୍ତ୍ରୀ ରଶ୍ମିତା ନାଏକଙ୍କ ମଧ୍ୟରେ ବାକ୍ଯୁଦ୍ଧ ହୋଇଥିଲା। ଏହି ଝଗଡ଼ା ଉଗ୍ରରୂପ ନେବାରୁ ରତ୍ନାକର ଏକ ଠେଙ୍ଗାରେ ରଶ୍ମିତାଙ୍କୁ ସାଂଘାତିକ ଆକ୍ରମଣ କରିଥିଲେ, ଯାହାଫଳରେ ଘଟଣାସ୍ଥଳରେ ହିଁ ରଶ୍ମିତାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ରତ୍ନାକର ଘର ଭିତରେ ନିଜ ପିଲାମାନଙ୍କୁ ରଖି ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବର ପାଇ ପରଜଙ୍ଗ ପୋଲିସ ସହ କାମାକ୍ଷାନଗର ଏସ୍ଡିପିଓ ଚିତ୍ତରଞ୍ଜନ ବେହେରା ଏବଂ ଥାନା ଅଧିକାରୀ ସୁବ୍ରତ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ଜିଲ୍ଲା ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରୁଛି। ତେବେ ଦମ୍ପତିଙ୍କ ମୃତ୍ୟୁର ପ୍ରକୃତ କାରଣ ଓ ସମ୍ପୂର୍ଣ୍ଣ ଘଟଣାବଳୀ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।