ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସ୍ୱାମୀ: ମେୟର ହେଲେ ନିଲମ୍ବନ

ଜୟପୁର: ଶନିବାର ବିଳମ୍ବିତ ରାତ୍ରରେ ଅଶୋକ ଗେହ୍‌ଲଟଙ୍କ ନେତୃତ୍ବାଧୀନ ରାଜସ୍ଥାନ ସରକାର ‘ଜୟପୁର ହେରିଟେଜ୍‌ ମୁନିସ୍‌ପାଲ୍‌ କର୍ପୋରେସନ୍‌’ ମେୟର୍‌ ମୁନେଶ ଗୁର୍ଜର୍‌ଙ୍କୁ ନିଲମ୍ବନ କରିଛି । ଏଥିସହିତ ଗୁର୍ଜର୍‌ଙ୍କୁ ଜୟପୁରର ହେରିଟେଜ୍‌ କର୍ପୋରେସନ୍‌ର ୱାର୍ଡ ନମ୍ବର ୪୩ ଆସନରୁ ମଧ୍ୟ ନିଲମ୍ବନ କରାଯାଇଛି।

ସୂଚନାଯୋଗ୍ୟ, ଖଣ୍ଡେ ଜମି ଲିଜ୍‌ ଦେବା ବିନିମୟରେ ମୁନେଶଙ୍କ ସ୍ବାମୀ ସୁଶୀଳ ଗୁର୍ଜର ୨ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଶନିବାର ଦିନ ରାଜ୍ୟର ‘ଆଣ୍ଟି-କରପ୍‌ସନ୍‌ ବ୍ୟୁରୋ’ଦ୍ବାରା ଗିରଫ ହୋଇଥିଲେ। ମେୟର୍‌ଙ୍କୁ ନିଲମ୍ବନ କରାଯିବା ଆଦେଶନାମାରେ ଉଲ୍ଲେଖ ଅଛି, ମେୟର୍‌ଙ୍କ ଉପସ୍ଥିତିରେ, ତାଙ୍କ ବାସଭବନରେ ତାଙ୍କ ସ୍ବାମୀ ଲାଞ୍ଚ ଗ୍ରହଣ କରୁଥିବା ଅବସ୍ଥାରେ ଧରାପଡ଼ିଥିବାରୁ ମନେହେଉଛି ଏଥିରେ ମେୟର୍‌ ସମ୍ପୃକ୍ତ ଅଛନ୍ତି। ତାଙ୍କ ଘରୁ ମଧ୍ୟ ୪୦ ଲକ୍ଷ ନଗଦ ଟଙ୍କା ଉଦ୍ଧାର କରାଯାଇଛି। ସେ ଏହି ମାମଲାର ତଦନ୍ତକୁ ପ୍ରଭାବିତ କରିପାରନ୍ତି।

ସୁଶୀଳ ଗୁର୍ଜର୍‌ଙ୍କ ସହିତ ‘ଆଣ୍ଟି-କରପ୍‌ସନ୍‌ ବ୍ୟୁରୋ’ ଆଉ ୨ଜଣଙ୍କୁ ମଧ୍ୟ ଗିରଫ କରିଛି। ସେମାନଙ୍କୁ ୨ ଦିନ ଜେରା କରାଯିବ। ‘ପ୍ରିଭେନ୍‌ସନ୍‌ ଅଫ୍‌ କରପ୍‌ସନ୍‌ ଆକ୍ଟ୍‌’ ଅନୁଯାୟୀ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି।

ଥାନାରେ କରାଯାଇଥିବା ଅଭିଯୋଗ ଅନୁସାରେ, ଖଣ୍ଡେ ଜମି ପାଇଁ ଆଗତ ‘ଲିଜ୍‌’ ଆବେଦନର ଅନୁମୋଦନ ତ୍ବରାନ୍ବିତ କରାଇବା ପାଇଁ ସହଯୋଗୀ ନାରାୟଣ ସିଂହ ଓ ଅନୀଲ ଦୁବେଙ୍କ ଜରିଆରେ ସୁଶୀଳ ଗୁର୍ଜର ୨ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗ ଆଧାରରେ ଦୁର୍ନୀତି ନିବାରଣ ଅଧିକାରୀମାନେ କୌଶଳ କରି ସେମାନଙ୍କୁ ଗିରଫ କରିଥିଲେ।