ଭୁବନେଶ୍ୱର :ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଥିବା ବିବାଦ ଏବେ ବି କମିନି। ମା ଶେଫାଳୀ ସୁନା ଏତଲା ଦେବା ପରେ କଟକ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି।ପ୍ରତିଷ୍ଠିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ହ୍ୟୁମାନଙ୍କ ମା’ ଶେଫାଳୀ ସୁନା କଟକ ମର୍କତ ନଗର ଥାନାରେ ଏତଲା ଦେବା ପରେ ମାମଲା ରୁଜୁ କଲା ପୋଲିସ । ହ୍ୟୁମାନଙ୍କ ମା’ ଶେଫାଳି ସୁନାଙ୍କ ଅଭିଯୋଗ ଆଧାରରେ କେସ୍ ରୁଜୁ କରିଛି ପୋଲିସ । ଅଭିଯୋଗରେ ଯେଉଁମାନଙ୍କ ନାଁ ଉଲ୍ଲେଖ ରହିଛି ସମସ୍ତଙ୍କୁ ଡକାଯିବ ଓ ପଚରାଉଚରା କରାଯିବ । ଆଇନର ପ୍ରକ୍ରିୟା ଅନୁଯାୟୀ ଆମେ ତଦନ୍ତ କରିବୁ ବୋଲି କହିଛନ୍ତି କଟକ ଏଡିସିପି ଅମରେନ୍ଦ୍ର ପଣ୍ଡା । ସୁରୁଖୁରୁରେ ତଦନ୍ତ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।ହ୍ୟୁମାନଙ୍କ ମୃତ୍ୟୁ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଯାହାର ବି ସଂପୃକ୍ତି ଅଛି-ସେମାନଙ୍କୁ ଠାବ କରାଯାଇ କଠୋର ଦଣ୍ଡ ଦେବାକୁ ବି ନିବେଦନ କରିଛନ୍ତି ମାଆ ଶେଫାଳି। ଏମିତିକି ପୂର୍ବରୁ ତାଙ୍କ ବୋହୁ ଶ୍ରେୟା ମିଶ୍ର ଆଣିଥିବା ସମସ୍ତ ଆରୋପ ଆଧାରହୀନ ବୋଲି ସେ ଦର୍ଶାଇବା ସହ ତାହା ତାଙ୍କ ପୁଅକୁ ମାନସିକ, ସାମାଜିକ ସ୍ତରରେ ଗଭୀର ଆଘାତ ପହଞ୍ଚାଇଥିଲା ବୋଲି ଦର୍ଶାଇଛନ୍ତି। ସେହିପରି ଗାୟିକା ଅର୍ପିତା ଚୌଧୁରୀଙ୍କ ଆୟ ଉତ୍ସ ସହ ସ୍ଥାବର ଓ ଅସ୍ଥାବର ସଂପତ୍ତିର ଖୋଳତାଡ଼ ସାଙ୍ଗକୁ ତାଙ୍କ ଲିଙ୍କ୍ ରେ ଥିବା ସୋମେଶ ଶତପଥୀଙ୍କ ସଂପତ୍ତିର ବି ଯାଞ୍ଚ ଦାବି କରିଛନ୍ତି ସେଫାଳି। ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତ ନଭେମ୍ବର ୧୭ରେ ଆଖି ବୁଜିଥିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ତାଙ୍କ ଗୁରୁତର ସ୍ବାସ୍ଥାବସ୍ଥାକୁ ନେଇ ଆଜି ଯାଏଁ ସସେପନସ୍ ଲାଗି ରହିଛି, ସତ ସାମ୍ନାକୁ ଆଣିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ହ୍ୟୁମାନଙ୍କ ଫ୍ୟାନ୍ ଓ ସଂଗଠନ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଦୀର୍ଘ ୧ ମାସ ପରେ ମାଆ ଶେଫାଳିଙ୍କ ଏତଲା ହ୍ୟୁମାନ ମୃତ୍ୟୁ ରହସ୍ୟ ଉନ୍ମୋଚନକୁ ବଳ ଯୋଗାଇବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବି ଏତଲା କପିର ନକଲ ପଠାଇଛନ୍ତି ଶେଫାଳି ସୁନା।