ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରେଭେନ୍ୟୁ ଇନ୍ସପେକ୍ଟର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନ ତୁଡ଼ିଗଡ଼ିଆ ରାଜସ୍ୱ ନିରୀକ୍ଷକ ଶରତ କୁମାର ସେଠୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଅଭିଯୋଗକାରୀ ତାଙ୍କ ପୈତୃକ ଜମିର ମ୍ୟୁଟେସନ୍ କରି ତାଙ୍କ ଜେଜେବାପାଙ୍କ ନାଁରେ Record of Rights (ROR) ପାଇଁ ଆବେଦନ କରିଥିଲେ। ତେବେ ଏହି ପ୍ରକ୍ରିୟାକୁ ରେଭିନ୍ୟୁ ଇନ୍ସପେକ୍ଟର ଜଣକ ବିଳମ୍ବ କରୁଥିବା ଅଭିଯୋଗ ହୋଇଥିଲା। ପରେ ମ୍ୟୁଟେସନ୍ ମାମଲାରେ ସପକ୍ଷରେ ଫିଲ୍ଡ ଇନକ୍ୱାରୀ ରିପୋର୍ଟ ଦେବା ଏବଂ ROR ପ୍ରଦାନ ପ୍ରକ୍ରିୟାକୁ ସହଜ କରିବା ପାଇଁ ଶରତ କୁମାର ସେଠୀ ଅଭିଯୋଗକାରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଅଭିଯୋଗକାରୀ ଏନେଇ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନାବଦ୍ଧ ଭାବେ ଟ୍ରାପ୍ କରାଯାଇ ତୁଡ଼ିଗଡ଼ିଆ RI ଅଫିସ୍‌ରେ ଶରତ କୁମାର ସେଠୀ ଅଭିଯୋଗକାରୀଙ୍କଠାରୁ ୫ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ୫ ହଜାର ଟଙ୍କା ଜବତ କରିବା ସହିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ବାଲେଶ୍ୱର ଭିଜିଲାନ୍ସ ଥାନାରେ Prevention of Corruption (Amendment) Act, 2018ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି।