ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ

ଭୁବନେଶ୍ୱର : ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ହଲ୍‌ ଠାରେ ଜାତୀୟ କ୍ରୀଡା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି।

ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଭାରତୀୟ ହକି ପ୍ରତି ବଳିଷ୍ଠ ଅବଦାନକୁ ଦେଶବାସୀଙ୍କ ମନରେ ଅବିସ୍ମରଣୀୟ କରି ରଖିବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ଦିବସକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, କ୍ରୀଡା ମନ୍ତ୍ରୀ ଓ ଅନ୍ୟଅତିଥି ମାନେ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ଅବସରରେ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,ଧ୍ୟାନଚାନ୍ଦଙ୍କ ଖେଳରେ ମ୍ୟାଜିକ ଥିଲା। ଭାରତବର୍ଷ ପାଇଁ ଅନେକ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସ୍ୱର୍ଣ୍ଣ ପଦକ ଜିତି ସେ ଏକ ବିରଳ କୃତିତ୍ୱ ଅର୍ଜନ କରିଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କ ଭଳି ହକି ଖେଳାଳି ଆଉ କେହି ବାହାରି ନାହାନ୍ତି।

ଆମ କ୍ରୀଡାବିତ୍‌ମାନେ ହେଉଛନ୍ତି ଆମର ଗର୍ବ ଓ ଗୌରବ। ସେମାନଙ୍କର ତ୍ୟାଗ, ସାହସ ଓ ଉତ୍କର୍ଷ ଆମ ସମସ୍ତଙ୍କୁ, ଆମ ଯୁବ ସମାଜକୁ ପ୍ରେରଣା ଦେଇ ଆସୁଅଛି। କ୍ରୀଡା କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ଧନ୍ୟବାଦ ଜଣାଇ କହିଥିଲେ ଯେ ଆଗାମୀ ଦିନରେ ସେମାନେ ଆହୁରି ଅଧିକ ସଫଳତା ହାସଲ କରନ୍ତୁ ଓ ଆମ ପାଇଁ ଆହୁରି ଗୌରବ ଆଣନ୍ତୁ। କ୍ରୀଡାବୀତ୍‌ମାନଙ୍କ ସଫଳତା ହେଉଛି ସାରା ଓଡିଶାର ସଫଳତା। ପ୍ରତ୍ୟେକ ଓଡିଆ ଏହି ସଫଳତାରେ ଗର୍ବିତ ବୋଲି ସେ କହିଥିଲେ।

୧୯୭୨ ମସିହା ପରଠାରୁ ପ୍ରଥମ ଥର ପାଇଁ ଭାରତୀୟ ହକି ଦଳ ୨୦୨୦ ଓ ୨୦୨୪ ଅଲମ୍ପିକ୍ସରେ ଲଗାତାର ଭାବେ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ହକିରେ ଭାରତ ତାର ପୂର୍ବ ଗୌରବ ଫେରିପାଇବା ପାଇଁ ନିଶ୍ଚିତ ଭାବେ ସଫଳତାର ସହ ଅଗ୍ରଗତି କରି ଚାଲିଛି । ନିକଟରେ ଭାରତୀୟ ହକି ଦଳ ଭୁବନେଶ୍ବର ଆସିଥିଲେ ଏବଂ ଓଡିଶାବାସୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଅଭୂତପୂର୍ବ ସମ୍ବର୍ଦ୍ଧନା ଦିଆଯାଇଥିଲା। ଖେଳାଳିମାନଙ୍କ ଆତ୍ମବିଶ୍ବାସ ଓ ଦୃଢ ମନୋବଳ ଦେଖି ମୁଁ ଦୃଢ ନିଶ୍ଚିତ ଯେ ଆଗାମୀ ଅଲମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିବ ବୋଲି ସେ କହିଥିଲେ।

ଆଜି ଉତ୍ସବରେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାରରେ ସମ୍ମାନିତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲାର ଶ୍ରୀମତୀ ଜୟନ୍ତୀ ମଲ୍ଲିକ ଓ ତାଙ୍କ ୧୨ ବର୍ଷର ପୁଅ ରୁଦ୍ର ମଲ୍ଲିକ ନିଜ ଜୀବନକୁ ବାଜି ଲଗାଇ ବ୍ରାହ୍ମଣୀ ନଦୀରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କର ଏହି ସାହସିକତା ପାଇଁ ୨ ଲକ୍ଷ ଟଙ୍କାର ଚେକ୍ ଓ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା।

କ୍ରୀଡା ସାମ୍ବାଦିକତା ପାଇଁ ସମ୍ମାନିତ ହୋଇଥିବା କ୍ରୀଡା ସାମ୍ବାଦିକ ସୁକେଶ ରଞ୍ଜନ ବେହେରାଙ୍କୁ ୨ ଲକ୍ଷ ଟଙ୍କା, ଟ୍ରଫି ଏବଂ ଫଳକ ପ୍ରଦାନ କରାଯାଇଥିଲା। ଭାରୋତ୍ତଳନ କ୍ଷେତ୍ରରେ କିର୍ତ୍ତିମାନ ସ୍ଥାପନ କରିଥିବା ୧୪ ବର୍ଷିୟା ଶ୍ରେଷ୍ଠ ଉଦିୟମାନ ପ୍ରତିଭା ପ୍ରୀତିସ୍ମିତା ଭୋଇଙ୍କୁ ୨ ଲକ୍ଷ ଟଙ୍କା ଏବଂ ଫଳକ ପ୍ରଦାନ କରାଯାଇଥିଲା। ସେହିଭଳି ଟେକ୍‌ନିକାଲ୍‌ ଅଫିସିଆଲ୍ ରୂପନ୍ୱିତା ପଣ୍ଡା, ଦୃଷ୍ଟିହୀନ କ୍ରିକେଟିଅର ମହମ୍ମଦ ଜାଫର ଇକବାଲ୍, ହକି ପ୍ରଶିକ୍ଷକ ବିଜୟ କୁମାର ଲାକ୍ରା ଏବଂ କ୍ରୀଡା ପ୍ରୋତ୍ସାହନ ପାଇଁ ନାଲ୍‌କୋକୁ ୨ ଲକ୍ଷ ଟଙ୍କା, ଟ୍ରଫି ଓ ମାନପତ୍ର ଏବଂ ଅଲମ୍ପିଆନ୍ କିଶୋର କୁମାର ଜେନାଙ୍କ ଜାଭଲିନ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୩ ଲକ୍ଷ ଟଙ୍କା, ଟ୍ରଫି ଓ ମାନପତ୍ର ସହିତ ହକି ଖେଳ ପ୍ରତି ଜୀବନବ୍ୟାପୀ ଅବଦାନ ପାଇଁ ଲାଜରୁସ୍ ବାର୍ଲାଙ୍କୁ ୪ ଲକ୍ଷ ଟଙ୍କା, ଟ୍ରଫି ଓ ମାନପତ୍ର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା, ଉଚ୍ଚ ଶିକ୍ଷା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ହକିର ଯାଦୁଗର ଥିଲେ ମେଜର ଧ୍ୟାନଚାନ୍ଦ। ତାଙ୍କ ଜୀବନକାଳ ମଧ୍ୟରେ ସେ ହଜାରରୁ ଅଧିକ ଗୋଲ୍‌ ଦେଇଛନ୍ତି। ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି। ସୂଚନାଯୋଗ୍ୟ ଯେ କ୍ରୀଡା ବିଭାଗ ପ‍କ୍ଷରୁ ସପ୍ତାହବ୍ୟାପୀ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି । କାର୍ଯ୍ୟକ୍ରମରେ ବହୁ କ୍ରୀଡାବିତ୍‌, କ୍ରୀଡା ପ୍ରଶିକ୍ଷକ ଏବଂ କ୍ରୀଡା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।