ରାଜ୍ୟରେ ସାମ୍ବାଦିକ ମାନଙ୍କ କଲ୍ୟାଣ ନିମନ୍ତେ କି କି ପଦକ୍ଷେପ ନିଆଯାଇଛି? ଆଉ ସେଥିରେ କେତେ ସାମ୍ବାଦିକ ଉପକୃତ ହୋଇଛନ୍ତି? ଆଉ କି କି ସୁବିଧା ଯୋଗାଇବାକୁ ସରକାର ଚିନ୍ତା କରୁଛନ୍ତି ? ବିଧାନସଭାରେ ବିଧାୟକ ଧ୍ରୁବ ସାହୁ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀଙ୍କୁ ଏଭଳି ପ୍ରଶ୍ନର ଉତ୍ତର କରିଥିଲେ ।
ଏହି ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଥିଲେ, ରାଜ୍ୟରେ ସାମ୍ବାଦିକମାନଙ୍କ ପାଇଁ ବିଭିନ୍ନ ନିୟମ ପ୍ରଣୟନ କରାଯାଇଛି । ଓଡିଶା ପ୍ରେସ ଆର୍କିଡେସନ ୧୯୯୪ ନିୟମ ଅନୁଯାୟୀ ଯୋଗ୍ୟ ବିବେଚିତ ସାମ୍ବାଦିକମାନଙ୍କୁ ଅଧିସ୍ୱକୃତି ପ୍ରଦାନ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ୧୩୭ ଜଣ ରାଜ୍ୟ ସ୍ତରୀୟ, ୪୪ ଜଣ ମୁକ୍ତ ବୃତ୍ତ ଓ ୨୫ ଜଣ ଜିଲ୍ଲା ସ୍ତରୀୟ ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଅଛନ୍ତି ।
ସେହିପରି ଓଡିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ଫଣ୍ଡ ନିୟମ ୨୦୦୬ ଅନୁଯାୟୀ ଏହି ପାଣ୍ଠିରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏଥିରେ ୧୪୦ ଜଣ ସାମ୍ବାଦିକ ଉପକୃତ ହୋଇଛନ୍ତି । ଏହାସହ ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ପ୍ରଣୟନ କରାଯାଇ ସାମ୍ବାଦିକମାନଙ୍କୁ ୨ଲକ୍ଷ ଟଙକାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି । ଏହି ଯୋଜନାରେ ଚଳିତ ବର୍ଷ ୮୯୩୨ ଜଣ ସାମ୍ବାଦିକ ଉପକୃତ ହୋଇଛନ୍ତି ।
ସାମ୍ବାଦିକମାନଙ୍କୁ ମିଳୁଛି କେଉଁ ସୁବିଧା?
୧- ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ରେଳଯାତ୍ରା ନିମନ୍ତେ ରିହାତି ଦରରେ ଯିବା ପାଇଁ ରେଳ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପାସ ଦେବାକୁ ସୁପାରିଶ କରାଯାଇଥାଏ ।
୨- ଦିଲ୍ଲୀସ୍ଥିତ ଓଡିଶା ନିବାସ, କୋଲକାତାସ୍ଥିତ ଉତ୍କଳ ଭବନ, ମୁମ୍ବାଇସ୍ଥିତ ଓଡିଶା ଭବନ ଏବଂ ସରକାରୀ ଡାକବଙ୍ଗଳାମାନଙ୍କରେ ସେମାନଙ୍କ ରହଣୀ ନିମନ୍ତେ ରିହାତି ଦରରେ ଆରକ୍ଷଣ ସୁବିଧା ଯୋଗାଇ ଦେବାକୁ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରାଯାଇଥାଏ ।
୩- ରଥଯାତ୍ରା ବିବରଣୀ ସଂଗ୍ରହ କରିବାକୁ ରଜ୍ୟ ସ୍ତରୀୟ ସାମ୍ବାଦିକମାନଙ୍କୁ ପୁରୀ ଯିବାର ବ୍ୟବସ୍ଥା ଥାଏ ।
୪- ସାମ୍ବାଦିକମାନଙ୍କୁ ସଚିବାଳୟ ପ୍ରବେଶ ପତ୍ର ପ୍ରଦାନ ନିମନ୍ତେ ଗୃହ ବିଭାଗକୁ ସୁପାରିଶ କରାଯାଇଥାଏ ।
୫- କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ୪ ଲକ୍ଷ ଟଙ୍କାର ମୃତ୍ୟୁ କାଳୀନ ସହାୟତା ଦିଆଯାଇଥାଏ ।
୬- ସାମ୍ବାଦିକମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ସହିତ ଆର୍ଥିକ ସହାୟତାର ବ୍ୟବସ୍ଥା । ଯଦି କୌଣସି କ୍ଷେତ୍ରରେ ସ୍ୱାସ୍ଥ୍ୟ ଖର୍ଚ୍ଚ ୨ ଲକ୍ଷ ଟଙ୍କାରୁ ଅଧିକ ହୁଏ , ତେବେ ସ୍ୱାସ୍ଥ୍ୟ, ଶିକ୍ଷା, ଓ ପ୍ରଶିକ୍ଷଣ ନିର୍ଦ୍ଦେଶକଙ୍କ ଅନୁମୋଦନ କ୍ରମେ ଅଧିକ ସହାୟତାର ବ୍ୟବସ୍ଥା ଅଛି ।
୭- ଯଦି କୌଣସି ସାମ୍ବାଦିକ ସ୍ଥାୟୀ ଭାବେ ଅକ୍ଷମ ହୁଅନ୍ତି, ସେ କ୍ଷେତ୍ରରେ ତାଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବାର ବ୍ୟବସ୍ଥା ରହିଛି ।
୮- କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ପାଇଁ ସହାୟତା ଦିଆଯିବ । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାସିକ ୧୫୦୦ ଟଙ୍କା ଓ ଉଚ୍ଚ ଶିକ୍ଷା ପାଇଁ ମାସିକ ୨୫୦୦ ଟଙ୍କା ପ୍ରଦାନ କରାଯିବ ।
୯- ସାମ୍ବାଦିକ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ସରକାର ସହାୟତା ଯୋଗାଇଦେବେ । ଆଇଆଇଏମସି ପରି ସଂସ୍ଥାଗୁଡିକରେ ରାଜ୍ୟ ସରକାର ୫ ବର୍ଷିୟ ବ୍ଲକ ପରିୟଡ ମଧ୍ୟରେ ଜଣ ପିଛା ୧୦,୦୦୦ ଟଙ୍କା ଖର୍ଚ୍ଚ ବହନ କରିବାର ବ୍ୟବସ୍ଥା ରହିଛି ।
୧୦- କୌଣସି କାର୍ଯ୍ୟରତ ସାମ୍ବାଦିକ ତାଙ୍କର କର୍ତ୍ତବ୍ୟ ସମ୍ପାଦନ ସମୟରେ କରୋନା ଦ୍ୱାରା ସଂକ୍ରମିତ ହୋଇ ମୃତ୍ୟୁବରଣ କଲେ ସେମାନଙ୍କ ପରବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । (ସୌଜନ୍ୟ : କନକ ନିଉଜ)