ଚାଷୀ ପ୍ରସଙ୍ଗେରେ ଉଷ୍ଣ, ତିନି ଦଳ ମିଶି ଗୃହକୁ କଲେ ଅଚଳ

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଗୋଟିଏ ବିଚିତ୍ର କଥା ଦେଖିବାକୁ ମିଳିଛି । ଉଭୟ ବିରୋଧୀ ଓ ଶାସକ ଚାଷୀ ପ୍ରସଙ୍ଗରେ ମୁହାଁମୁହିଁ ହୋଇ ଗୃହକୁ ଅଚଳ କରିଛନ୍ତି । ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ବାଚସ୍ପତିଙ୍କ ପୋଡ଼ିଅମ ସମ୍ମୁଖକୁ ଆସି ‘ଚାଷୀ ମାରଣ ନୀତି ଚଳିବ ନାହିଁ’ ବୋଲି ନାରାବାଜି ଦେଇ ପ୍ରବଳ ହଟ୍ଟଗାଳ କରିଥିବାବେଳେ ଶାସକ ବିଜେଡି ସଭ୍ୟମାନେ ଗୃହ ମଝିରେ ଚାଷୀଙ୍କୁ କେନ୍ଦ୍ର ଦେଉନି ସାର୍ ପ୍ରତିବାଦରେ ଅନୁରୂପ ଭାବେ ହୋହାଲ୍ଲା କରିଥିଲେ । ଏକସଂଗେ ତିନି ଦଳର ସଭ୍ୟଙ୍କ ନାରାବାଜି ଯୋଗୁଁ ଗୃହ ହୁଲସ୍ତୁଲ ହୋଇଥିଲା । ଗୃହ ଚଳାଇବା ଆଉ ସମ୍ଭବ ନ ହେବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବାଧ୍ୟହୋଇ ଗୃହକୁ ବାରମ୍ବାର ମୂଲତବୀ କରିଥିଲେ । ଫଳରେ ଦିନ ତମାମ ଗୃହ ମାତ୍ର ୧୨ ମିନିଟ୍ ଚାଲିବାକୁ ସକ୍ଷମ ହୋଇଥିଲା ।
ଶୁକ୍ରବାର ଧାର୍ଯ୍ୟ ସମୟରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ପ୍ରଥମରୁ ସୁରୁଖୁରୁରେ ଚାଲିପାରି ନଥିଲା । ବାଚସ୍ପତି ଆସନ ଗ୍ରହଣ କରିବା କ୍ଷଣି ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସରକାରୀ ବିରୋଧୀ ଶ୍ଲୋଗାନମାନ ଦେବା ସହ ପ୍ରବଳ ହଟ୍ଟଗାଳ କରିଥିଲେ । ଠିକ୍ ଏହି ସମୟରେ ଶାସକ ସଭ୍ୟମାନେ ମଧ୍ୟ ଅନୁରୂପ ଭାବେ ବାଚସ୍ପତିଙ୍କ ପୋଡ଼ିଅମ ସମ୍ମୁଖକୁ ଆସି କେନ୍ଦ୍ର ବିରୁଦ୍ଧରେ ଧ୍ୱନିମାନ ଦେଇଥିଲେ । ଫଳରେ ଉଭୟ ଶାସକ-ବିରୋଧୀ ସଭ୍ୟଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଥିଲା ।ତେଣୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ପ୍ରଥମେ ୧୦.୩୧ରୁ ସାଢ଼େ ୧୧ ପର୍ଯ୍ୟନ୍ତ ମୁଲତବୀ କରିଥିଲେ । ପୁଣି ଗୃହ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଉଭୟ ବିରୋଧୀ ଓ ଶାସକ ସଭ୍ୟମାନେ ଅନୁରୂପ ଭାବେ ନାରାବାଜି ସହ ହୋହଲ୍ଲା କରିଥିଲେ । ବାଚସ୍ପତି ପୁଣି ଗୃହକୁ ୧୧.୩୧ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ଅପରାହ୍ନ ଅଧିବେଶନ ବେଶ୍ ଶାନ୍ତିପୂର୍ଣ୍ଣ ଭାବେ ଚାଲିବ ବୋଲି ଆଶା କରାଯାଉଥିଲା । ହେଲେ ତାହା ସମ୍ଭବ ହେଲାନାହିଁ । ଏଥର କେବଳ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଝିକୁ ଆସି ସମାନ ଢଙ୍ଗରେ ଧ୍ୱନିମାନ ଦେଇଥିଲେ । ବାଚସ୍ପତି ଶ୍ରୀ ଆରୁଖ ବାଧ୍ୟ ହୋଇ ଗୃହକୁ ପୁଣି ୩୦ ମିନିଟ୍ ପାଇଁ ମୁଲତବୀ କରିଥିଲେ ଏବଂ ପରେ ସମାନ ସ୍ଥିତି ଉପୁଜିବାରୁ ଗୃହକୁ ଶନିବାର ପୂର୍ବାହ୍ନ ସାଢ଼େ ଦଶ ଯାଏ ମୂଲତବୀ କରିଥିଲେ । ଗୃହ ଭିତରେ ସ୍ଥିତି ଯେତେ ସର୍‌ଗରମ୍ ଥିଲା ବାହାରେ ବି ସ୍ଥିତି ଉଷ୍ଣ ଥିଲା । ଗୃହ ବାହାରେ ବିରୋଧୀ ଦଳ ମୁଖ୍ୟ ସେଚତକ ମୋହନ ମାଝୀ କହିଥିଲେ, ସରକାର ଚାଷୀଙ୍କୁ ଭଣ୍ଡୁଛନ୍ତି । ଚାଷୀ ଏବେ ସର୍ବସ୍ୱାନ୍ତ । ବହୁ ଅନ୍ୟାୟର ଶୀକାର ହେଉଛି । ଫସଲ ବୀମା ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । କଂଗ୍ରେସ ମୁଖ୍ୟ ସେଚତକ ତାରା ପ୍ରସାଦ ବାହିନୀପତି ମଧ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥେôଲ । ସେ କହିଥିଲେ, ‘ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଆଖିରେ ଲୁହ ନାହିଁ । କେବଳ କୁମ୍ଭିର କାନ୍ଦଣା ସହ ଡ୍ରାମାବାଜି ଚାଲିଛି । ଚାଷୀ ବୁଝି ଗଲେଣି । ଏବେ ପାନେ ପାଇବେ’ । ଅପରପକ୍ଷେର ଶାସକ ବିଜେଡିର ବରିଷ୍ଠ ନେତ୍ରୀ ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ, ଚାଷୀର ସ୍ୱାର୍ଥ କଥା କେନ୍ଦ୍ର ସରକାର ଦେଖୁନାହିଁ । ଫସଲର ସହାୟକ ମୂଲ୍ୟ ବୃଦ୍ଧି ହେଉନି । ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରିଚାଲିଛନ୍ତି । ତେଣୁ ବିରୋଧୀ ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନ ବି ଅଯଥା କଥା ନ ଉଠାଇ କେନ୍ଦ୍ର ବିରୁଦ୍ଧରେ ଲଢ଼ନ୍ତୁ । ତହାଲେ ରାଜ୍ୟର ଚାଷୀ ଉପକୃତ ହେବେ ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଥିଲେ ।

Hot on the farmers issue