ନୂଆଦିଲ୍ଲୀ: ବିହାରର ନାଳନ୍ଦା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ଏକ ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ହୋଇ ୮ ଜଣ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଅଧିକାଂଶ ପାଟନା ଅଞ୍ଚଳର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ନାଳନ୍ଦା ଜିଲ୍ଲା ଦୀପନଗର ଥାନା ଅନ୍ତର୍ଗତ ମଘଡାସ୍ଥିତ ପ୍ରସିଦ୍ଧ ଶୀତଳା ମନ୍ଦିରରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ପ୍ରତି ମଙ୍ଗଳବାର ଭଳି ଆଜି ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ମାତ୍ର ପ୍ରଶାସନ ପକ୍ଷରୁ ଅପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ଅତ୍ୟଧିକ ଭିଡ଼ ଯୋଗୁଁ ସ୍ଥିତି ଅନିୟନ୍ତ୍ରିତ ହୋଇପଡ଼ିଥିଲା। ଫଳରେ ମନ୍ଦିର ପରିସରରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।ଘଟଣା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଏକାଧିକ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ମୃତକଙ୍କ ସଂଖ୍ୟାକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ତେବେ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ଯୋଗୁଁ ଏଭଳି ବଡ଼ ଧରଣର ଅଘଟଣ ଘଟିଥିବା ଅଭିଯୋଗ ହେଉଛି।