ଭୁବନେଶ୍ୱର,: ଗଭୀର ଶୋକ ଓ ଅସହ୍ୟ ଦୁଃଖର ମୁହୂର୍ତରେ ମଧ୍ୟ ମାନବିକତା ଓ ପରୋପକାରର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍)ରେ ଚିକିତ୍ସାଧୀନ ଜଣେ ବ୍ରେନ୍ଷ୍ଟେମ୍ ମୃତ ରୋଗୀଙ୍କ ପରିବାର । ପରିବାର ସଦସ୍ୟମାନେ ରୋଗୀଙ୍କ ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରି ନିଜ ଦୁଃଖର ମୁହୂର୍ତକୁ ଅନ୍ୟମାନଙ୍କ ପାଇଁ ଜୀବନର ଆଶାରେ ପରିଣତ କରିଛନ୍ତି । କଟକ ଜିଲ୍ଲାର ବାଙ୍କୀ ଉପଖଣ୍ଡ ଧାନସାର ଗ୍ରାମର ଜଣେ ଶିକ୍ଷକ ହଠାତ୍ ଅସୁସ୍ଥ ହେବା ପରେ ଗୁରୁତର ଅବସ୍ଥାରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି ହୋଇଥିଲେ । ସମ୍ମମର କ୍ରିଟିକାଲ କେୟାର ବିଭାଗୀୟ ଡାକ୍ତରୀ ଟିମ୍ଙ୍କ ନିଷ୍ଠାପର ଉଦ୍ୟମ ସହ ସମସ୍ତ ସମ୍ଭବ ଚିକିତ୍ସା ଏବଂ ସହାୟକ ବ୍ୟବସ୍ଥା ସତ୍ୱେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ କ୍ରମଶଃ ଅବନତି ହୋଇଥିଲା । ନିର୍ଦ୍ଧାରିତ ଡାକ୍ତରୀ ପରୀକ୍ଷା ଓ ପ୍ରମାଣୀକରଣ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ରୋଗୀଙ୍କୁ ବ୍ରେନ୍ଷ୍ଟେମ୍ ମୃତ ଘୋଷଣା କରାଯାଇଥିଲା । ଅଙ୍ଗଦାନର ମହତ୍ୱ ଏବଂ ଏହା ଦ୍ୱାରା ଅନ୍ୟମାନଙ୍କ ଜୀବନରେ ଆସିପାରୁଥିବା ପରିବର୍ତନ ସଂପର୍କରେ ବିସ୍ତୃତ ପରାମର୍ଶ ପାଇବା ପରେ ରୋଗୀଙ୍କ ପରିବାର ଏହି ମହାନ ଓ ସାହସିକ ନିଷ୍ପତି ନେଇଥିଲେ ।ସମସ୍ତ ଆବଶ୍ୟକୀୟ ଡାକ୍ତରୀ ଓ ଆଇନଗତ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ସେପେ୍ଟମ୍ବର ୯ ତାରିଖ ଭୋର ସମୟରେ ଅଙ୍ଗ ପ୍ରତ୍ୟାହାର ପ୍ରକ୍ରିୟା ସଫଳତାର ସହ କରାଯାଇଥିଲା । ରୋଗୀଙ୍କ ଯକୃତ ଓ ଚକ୍ଷୁର କର୍ଣ୍ଣିଆ ସଫଳତାର ସହ ସଂଗ୍ରହ କରାଯାଇଛି, ଯାହା ଅଙ୍ଗ ପ୍ରତିରୋପଣ ଅପେକ୍ଷାରେ ଥିବା ରୋଗୀମାନଙ୍କ ପାଇଁ ନୂତନ ଆଶା ସୃଷ୍ଟି କରିଛି ।
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଏହା ପଂଚମ ମଲ୍ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍ । ଏହି କାର୍ଯ୍ୟ ମୃତଦେହରୁ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ଏବଂ ଅଙ୍ଗ ପ୍ରତିରୋପଣ ଆବଶ୍ୟକ କରୁଥିବା ରୋଗୀମାନଙ୍କ ପାଇଁ ଜୀବନଦାୟୀ ସୁଯୋଗ ସୃଷ୍ଟି କରିବା ପ୍ରତି ହସ୍ପିଟାଲର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।
ରୋଗୀଙ୍କ ପରିବାରର ଏହି ନିଃସ୍ୱାର୍ଥପର ଓ ମହାନ ନିଷ୍ପତି ପାଇଁ ହସ୍ପିଟାଲ ପକ୍ଷରୁ ଗଭୀର କୃତଜ୍ଞତା ପ୍ରକାଶ କରାଯାଇଛି । ସେମାନଙ୍କର ଏହି ଅସାଧାରଣ ପଦକ୍ଷେପ ମାନବିକତାର ପ୍ରକୃତ ଉଦାହରଣ ସୃଷ୍ଟି କରିବା ସହ ଗୋଟିଏ ପରିବାରର ଅପାର ଦୁଃଖ କିପରି ଅନେକ ଅନ୍ୟ ପରିବାର ପାଇଁ ଆଶା ଓ ନୂତନ ଜୀବନର ସମ୍ଭାବନା ସୃଷ୍ଟି କରିପାରେ, ତାହା ପ୍ରମାଣିତ କରିଛି ।
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡାକ୍ତର) ମନୋଜରଞ୍ଜନ ନାୟକ କହିଛନ୍ତି, “ଅଙ୍ଗଦାନ ହେଉଛି ମାନବିକତାର ଅନ୍ୟତମ ଶ୍ରେଷ୍ଠ କାର୍ଯ୍ୟ । ଏକ ପରିବାର ଯେତେବେଳେ ଅକଳ୍ପନୀୟ ଦୁଃଖ ଦେଇ ଗତି କରୁଥାଏ, ସେହି ସମୟରେ ଅଙ୍ଗଦାନ ପାଇଁ ନିଷ୍ପତି ନେବା ଏକ ଅସାଧାରଣ ମାନବିକତା ଓ ଉଦାରତାର ପରିଚୟ । ଏହା ଅନେକ ପରିବାରର ଜୀବନକୁ ବଦଳାଇ ଦେଇପାରେ । ଏହି ପରିବାର ପ୍ରଦର୍ଶନ କରିଥିବା ସାହସ ଓ ଉଦାରତାକୁ ଆମେ ହୃଦୟରୁ ପ୍ରଶଂସା କରୁଛୁ । ସେମାନଙ୍କର ଏହି ନିଷ୍ପତି ସମାଜରେ ମୃତ୍ୟୁ ପରେ ଅଙ୍ଗଦାନ ସଂପର୍କରେ ଅଧିକ ସଚେତନତା ଓ ଗ୍ରହଣୀୟତା ସୃଷ୍ଟି କରିବ ବୋଲି ଆଶା କରୁଛୁ” ବୋଲି ପ୍ରଫେସର ନାୟକ କହିଛନ୍ତି ।
ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ “ପ୍ରତ୍ୟେକ ଅଙ୍ଗଦାନ ସହ ଜଡ଼ିତ ରହିଥାଏ ମାନବିକତା, ସାହସ ଓ ଆଶାର ଏକ କାହାଣୀ । ଗଭୀର ଶୋକର ମୁହୂର୍ତରେ ଏହି ପରିବାର ଯେଉଁ ନିଷ୍ପତି ନେଇଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ । ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆମେ ଅଙ୍ଗଦାନ ପ୍ରକ୍ରିୟାରେ ପରିବାରମାନଙ୍କୁ ସହଯୋଗ କରିବା ସହ ଅନ୍ୟ କାହାର ଜୀବନ ବଂଚାଇବା କିମ୍ବା ଜୀବନରେ ପରିବର୍ତନ ଆଣିବାର ପ୍ରତ୍ୟେକ ସମ୍ଭାବନାକୁ ଅତ୍ୟନ୍ତ ଯତ୍ନ ଓ ଦାୟିତ୍ୱର ସହ ଗ୍ରହଣ କରିବା ପାଇଁ ପ୍ରତିବଦ୍ଧ । ଏହା ଆମର ପଂଚମ ମଲ୍ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍ ଏବଂ ଏହି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ” ବୋଲି ଡକ୍ଟର ଦାଶ କହିଛନ୍ତି ।
ସମ୍ ଅଲ୍ଟିମେଟ୍ ମେଡିକେୟାରର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବୀରାଜ ମୋହନ ମିଶ୍ର କହିଛନ୍ତି, “ଯକୃତ ଓ କର୍ଣ୍ଣିଆ ସଫଳତାର ସହ ସଂଗ୍ରହ କରାଯିବା ପଛରେ ଆମର କ୍ରିଟିକାଲ କେୟାର, ଟ୍ରାନ୍ସପ୍ଲାଂଟ, ନର୍ସିଂ, ଅପରେସନ ଥିଏଟର ଓ ସହାୟକ ଟିମ୍ଙ୍କ ସମନ୍ୱିତ ପ୍ରୟାସ ରହିଥିଲା । ଏଥିସହ ସଂପୃକ୍ତ କର୍ତୃପକ୍ଷ ଓ ସଂସ୍ଥାମାନଙ୍କର ସହଯୋଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ ସର୍ବୋପରି, ଦାତାଙ୍କ ପରିବାରର ନିଃସ୍ୱାର୍ଥପର ନିଷ୍ପତି ଯୋଗୁଁ ଏହା ସମ୍ଭବ ହୋଇପାରିଛି । ସେମାନଙ୍କର ଏହି ପଦକ୍ଷେପ ପ୍ରମାଣିତ କରୁଛି ଯେ ଗଭୀର ଦୁଃଖ ମଧ୍ୟରେ ମଧ୍ୟ ଅନ୍ୟମାନଙ୍କ ପାଇଁ ଆଶା ଓ ନୂତନ ଜୀବନର ଆରମ୍ଭ ସୃଷ୍ଟି କରାଯାଇପାରେ ।”
ସମ୍ ଅଲ୍ଟିମେଟ୍ ମେଡିକେୟାର ମୃତ୍ୟୁ ପରେ ଅଙ୍ଗଦାନ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଅଙ୍ଗଦାନ ଦ୍ୱାରା ଅନେକ ରୋଗୀଙ୍କ ଜୀବନ ବଂଚିପାରିବ ଏବଂ ସେମାନଙ୍କ ଜୀବନରେ ନୂତନ ପରିବର୍ତନ ଆସିପାରିବ—ଏହି ବାର୍ତାକୁ ସମାଜରେ ପହଂଚାଇବା ପାଇଁ ନିରନ୍ତର ପ୍ରତିବଦ୍ଧ ରହିଛି ।