ହୋଲି ଅଘଟଣ : କେଉଁଠି ପାଣି ରେ ବୁଡି ,କେଉଁଠି ଗୋଷ୍ଠୀ ସଂଘର୍ଷ ଘଟି ଏକାଧିକ ମୃତ୍ୟୁ

ବ୍ରହ୍ମପୁର ଅଘଟଣ
ବ୍ରହ୍ମପୁରରେ ହୋଲି ଖେଳି ପୋଖରୀରେ ଗାଧୋଇବା ବେଳେ ବୁଡିଯାଇ ଯୁବକ ମୃତ୍ୟୁ। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ମାର୍କଣ୍ଡେଶ୍ଵର ପୋଖରୀରେ ବୁଡ଼ି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଶନିବାର ଅପରାହ୍ନ ସମୟରେ ଦୁଇ ଜଣ ବନ୍ଧୁଙ୍କ ସହ ପପୁ ସିଂ ଲାଞ୍ଜିପଲ୍ଲୀ ସ୍ଥିତ ମାର୍କଣ୍ଡେଶ୍ଵର ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗଭୀର ପାଣି ଭିତରେ ଫସି ଯାଇଥିଲେ । ବହୁ ଖୋଜା ଖୋଜି ପରେ ପପୁଙ୍କ ସନ୍ଧାନ ନ ମିଳିବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ।
ଖବର ପାଇ ବ୍ରହ୍ମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବହୁ ପରିଶ୍ରମ କରି ପପୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କୁ ବଡ଼ ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଛି ।

କଟକ: ହୋଲିରେ ଅଘଟଣ

କଟକ ବିରିବାଟୀ ଅଞ୍ଚଳର ଜଣେ ଯୁବକ ମହାନଦୀରେ ବୁଡି ମୃତ୍ୟୁ ହୋଇଥିବା ସୂଚନା ରହିଛି । ଯୁବକ ଜଣକ ନାଁ ଅଭିଜିତ ବାରିକ । ଅଭିଜିତ ଓ ତାଙ୍କର ୩ ଜଣ ସାଙ୍ଗ ହୋଲି ଖେଳିବା ପରେ ମହାନଦୀ ନିମେଇଷାପୁର ନୂଆଁ କୋରୁଆଁ ଘାଟରେ ଗାଧୋଉଥିବା ବେଳେ ଅଭିଜିତ ନଦୀ ସୂଅରେ ଭାସି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ହୋଲିରେ ଏଭଳି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇନ୍ଦ୍ରାବତୀ ନଦୀରେ ବୁଡ଼ି ଦୁଇ ମୃତ
ଇନ୍ଦ୍ରାବତୀ ନଦୀରେ ବୁଡ଼ିଯାଇ ୨ ଯୁବକ ପ୍ରାଣ ହରାଇଛନ୍ତି। କୋଟପାଡ଼ ପାଖ ଇନ୍ଦ୍ରାବତୀ ନଦୀରେ ଗାଧୋଇବାବେଳେ ସେମାନେ ପାଣିରେ ବୁଡି ଯାଇଥିଲେ। ହୋଲି ଖେଳିସାରି ଗାଧୋଇବାକୁ ଯିବାବେଳେ ଏହି ଅଘଟଣ ଘଟିଛି।

ହୋଲିରେ ରକ୍ତରଞ୍ଜିତ ହେଲା ରାଜଧାନୀ; ୩ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ
ହୋଲିରେ ରକ୍ତରଞ୍ଜିତ ହେଲା ରାଜଧାନୀ। ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିରେ ଆକ୍ରମଣ ହୋଇଛି। ହାପି ଗ୍ୟାରେଜ ମାଲିକ ଓ ତାର ସହଯୋଗୀ ୩ ଜଣ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଆକ୍ରମଣରେ ସୁନ୍ଦରପଦା କପିଳ ପ୍ରସାଦ ପାଲାମଣ୍ଡପ ଅଞ୍ଚଳର ବାଦଲ ସାହୁ, ରୋସନ ଜେନା ଏବଂ ଭୀମଟାଙ୍ଗୀ ଅଞ୍ଚଳର ଶଙ୍କିତ ରଥ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଛି । ଖବର ପାଇବା ପରେ ଏୟାରପୋର୍ଟ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

ଗାଁ ଦାଣ୍ଡରେ ରକ୍ତ ର ହୋଲି
ରଙ୍ଗର ପର୍ବ ହୋଲିରେ ରକ୍ତ ଛିଟା। ଗାଁ ଦାଣ୍ଡରେ ବୁଲିଲା ଫାର୍ସା। ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହତ୍ୟା। ରଙ୍ଗ ନୁହେଁ ଗୋଷ୍ଠୀ ସଂଘର୍ଷରୁ ରକ୍ତ ରଞ୍ଜିତ ହେଲା ମାଟି। ପୁରୀ କଣାସ ଗଡିଶାଗୋଦା ଥାନା ଜାଗୁଳାଇପଦର ଗାଁରେ ରକ୍ତର ହୋଲି। ଫାର୍ସା ଧରି ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ହାଣିଲା ଦୃର୍ବୃତ୍ତ। ଗୋଷ୍ଠୀ ସଂଘର୍ଷରେ ୩ ଗୁରୁତର ଅଛନ୍ତି। ଆହତ ମାନକୁ କଣାସ ମେଡିକାଲରେ ଭର୍ତ୍ତି କରାଯାଇଛି। ରାଜନୈତିକ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ଘଟଥିବା ଜଣାପଡିଛି । ଆହତମାନେ ବିଜେପି ସମର୍ଥିତ ଲୋକ ବୋଲି କୁହାଯାଉଛି।

ହୋଲି ପର୍ବରେ କେନ୍ଦୁଝର ରେ ଗୋଷ୍ଠୀ ସଂଘର୍ଷ
ଆନନ୍ଦପୁରରେ ହୋଲି ଖେଳ ସମୟରେ ଗୋଷ୍ଠୀ ସଂଘର୍ଷ ଘଟି ଯାଇଛି । ଏହି ଘଟଣାରେ ୨ ଜଣ ଗୁରୁତର ଅଛନ୍ତି । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗୋଡା ଗାଁରେ ପଞ୍ଚାୟତ ନିର୍ବାଚନ ସମୟରୁ ଲାଗିରହିଥିବା ଉତ୍ତେଜନା ଆଜି ଉଗ୍ରରୂପ ଧାରଣ କରିଥିଲା। ରଙ୍ଗ ଖେଳ ସମୟରେ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଟୁଟୁ ପାତ୍ରଙ୍କ ଗୋଷ୍ଠୀ ଓ ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଏଥିରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି । ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ଓ ଅନ୍ୟ ଆହତଙ୍କୁ ସାଇଁକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।

ବାଲେଶ୍ଵର ସୋର ରେ ରକ୍ତାକ୍ତ ଗଣ୍ଡଗୋଳ
ସୋରୋ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ରଙ୍ଗ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ । ଗାଁର କିଛି ବିଜେପି କର୍ମୀ ରଙ୍ଗ ଖେଳୁଥିବାବେଳେ ବିଜେଡି କର୍ମୀ ଏହାକୁ ବିରୋଧ କରିଥିଲେ । ପରେ ଘଟଣା ଉଗ୍ରରୂପ ନେଇଥିଲା। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗଞ୍ଜାମ ରେ ବୀଭତ୍ସ ହତ୍ୟା
ଗଞ୍ଜାମ ଜିଲ୍ଲା ପୋଲସରା ମୁକାମାଳାଦେଇପୁର ଶାସନ ରେ ହୋଲି ଦିନ ଘଟିଯାଇଛି ଅଭାବନୀୟ କାଣ୍ଡ I ଯୋଜନାବଦ୍ଧ ଭାବରେ ଗାଁର ଅମିତ ଅ।ଚାର୍ଯ୍ୟଙ୍କୁ ହତ୍ୟାକାରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଗାଁର ଅମିତ ଅ।ଚାର୍ଯ୍ୟଙ୍କ ସହ ସେହି ଗାଁର କିଛି ଯୁବକଙ୍କ ପୂର୍ବ ଶତ୍ରୁତା ରହିଥିଲା। ଆଜି ଯୋଜନାଵଦ୍ଧ ଭାବେ ତିନିରୁ ଅଧିକ ଯୁବକ ମିଶି କେନାଲ ହୁଡା ନିକଟରେ ହତ୍ୟା କରି ମୃତଦେହ ବିଲରେ ଫିଙ୍ଗି ଫେରାର ହୋଇଯାଇଛନ୍ତି । ଖବର ପାଇ ପୋଲିସ ମୃତଦେହ ଜବତ ସହ ହତ୍ୟା ମାମଲା ରୁଜୁ କରିଛି ।

ଯାଜପୁର ଖରସ୍ରୋତା ଅଘଟଣ
ହୋଲି ଖେଳ ସାରି ଗାଧୋଇବା ସମୟରେ ଯାଜପୁର ଖରସ୍ରୋତା ଅଘଟଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଆଜି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଏବେ ବି ଦୁଇ ଜଣଙ୍କ ପତ୍ତା ମିଳୁନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶୁକ୍ରବାର ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଶୁକ୍ରବାର ଯାଜପୁର ଟାଉନ ଥାନା ଅନ୍ତର୍ଗତ ବଡସୁଆର ମଙ୍ଗଳା ଘାଟ ନିକଟରେ ହୋଲି ଖେଳି ସାରି ଖରସ୍ରୋତା ନଦୀକୁ ଗାଧୋଇ ଯାଇଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ୭ ଜଣ। ନଦୀର ପ୍ରଖର ସୁଅରେ ଭାସି ଯାଉଥିବାର ଦେଖି ଡେଇଁ ଥିଲେ ତିନି ଜଣ ରିଅଲ ହିରୋ । ଆଉ ବଞ୍ଚାଇ ପାରିଥିଲେ ଗୋଟିଏ ଜୀବନ।

ସମ୍ବଲପୁର କୁଚିଣ୍ଡାରେ ହୋଲିରେ ଅଘଟଣ।
ସମ୍ବଲପୁର ଭେଡେନ ନଦୀର ସଇଡା ଝିଲ୍ଲି ଘାଟ ନିକଟରେ ହୋଲି ଖେଳି ସାରି ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଦୁଇଜଣ ଙ୍କର ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ଉତ୍ତରପ୍ରଦେଶ ବଳରାମପୁର ଜିଲ୍ଲାର ମୁକେଶ ଯାଦବ ଓ କୈଳାଶ ଯାଦବ। ବିଳମ୍ବରେ ଖବର ପାଇ କୁଚିଣ୍ଡା ଅଗ୍ନିଶମ ବାହିନୀ ପହଞ୍ଚି ଦୁଇଜଣଙ୍କ ମୃତଦେହ ଉଦ୍ଧାର କରିଛି।

ହୋଲିରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼
ପୂର୍ବ ବିବାଦକୁ ନେଇ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ା ଗାଁ ପୁଣି ଅଶାନ୍ତ ହୋଇଛି । ଦଣ୍ଡୁଆସିପଡ଼ା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ପରେ ଉଭୟ ପକ୍ଷରୁ ଘନଘନ ବୋମାମାଡ ମଧ୍ୟ କରାଯାଇଛି । ଚଳିତ ପଂଚାୟତ ନିର୍ବାଚନ ପୂର୍ବରୁ ଏବଂ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକାଧିକ ବୋମାମାଡ଼ ସହ ସଂଘର୍ଷ ଘଟିଥିଲା । ପୁଣି ଆଜି ସେହି ପୂର୍ବ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ଉଭୟଙ୍କ ମଧ୍ୟରେ ୧୫ରୁ ଅଧିକ ବୋମାମାଡ ହୋଇଥିବା ଦେଖିବାକୁ ମିଳିଛି । ଏହି ବୋମା ମାଡ଼ରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମଳିପାରିନାହିଁ ।

ପୂର୍ବ ଶତ୍ରୁତାକୁ ନେଇ ହୋଲିରେ ଆକ୍ରମଣ, ଯୁବକ ମୃତ, ଆସାମୀ ଫେରାର
ମାହାଙ୍ଗା ଥାନା ଭଦରେଶ୍ୱର ଫାଣ୍ଡି ଅଧିନ ଗୋପାଳପୁର ବେଗୁନିଆପଦା ଗ୍ରାମରେ ଗତ ଗୁରୁବାର ରାତିରେ ଘଟିଯାଇଥିବା ଆକ୍ରମଣ ଘଟଣାରେ ଆହତ ମଣ୍ଟୁ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ବ୍ୟକ୍ତିଗତ ଶତ୍ରୁତାକୁ ନେଇ ସେହି ଗ୍ରାମର ଧୀରେନ ଦାସ ଓ ତାଙ୍କ ଭାଇ ବୀରେନ ଦାସଙ୍କ ସହ ତାଙ୍କ ଶଳା ଅର୍ଜୁନ ଦାସ ସଙ୍ଗବଦ୍ଧ ଭାବେ ରଡରେ ଆକ୍ରମଣ କରିବା ଦ୍ୱାରା ମଣ୍ଟୁ ମୁଣ୍ଡରେ ଆଘାତ ଲାଗିଥିଲା । ପରେ ସେ ଗୁରୁତର ଆହତ ହୋଇ କଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ଏନେଇ ଫାଣ୍ଡିରେ ଅଭିଯୋଗ ହୋଇଥିବା ବେଳେ ଆସାମୀ ମାନେ ଫେରାର ହୋଇଯାଇଛନ୍ତି ।

ନଦୀରେ ବୁଡ଼ି ୨ଶ୍ରମିକଙ୍କ ମୃତ୍ୟୁ
ହୋଲିରେ ପୁଣି ଅଘଟଣ ଘଟିଛି । ହୋଲି ଖେଳ ସାରି ଗାଧୋଇବା ସମୟରେ ନଦୀରେ ବୁଡ଼ି ଆଜି ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଦୁଇଜଣ ନଦୀରେ ବୁଡ଼ିଯିବା ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ଖୋଜାଖୋଜି କରିବା ପରେ ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ମୃତ ଶ୍ରମିକ ଦ୍ବୟଙ୍କ ଘର ବିହାରର ହୋଇଥିବା ଜଣାପଡ଼ିଛି । କୁଚିଣ୍ଡାର ଏକ ଘରେ ରହି ଦୁଇ ଜଣ ଶ୍ରମିକ କାମ କରୁଥିଲେ ।
ଅନ୍ୟପଟେ ଗତକାଲି ମଧ୍ୟ ଯାଜପୁରର ବଡ଼ସୁଆରରେ ନଦୀରେ ୬ଜଣ ବୁଡ଼ିଯାଇଥିଲେ । ପ୍ରଥମେ ଜଣକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅନ୍ୟ ମାନେ ନିଖୋଜ ରହିଥିଲେ । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।