ଭୁବନେଶ୍ୱର : ରାତି ପାହିଲେ ହୋଲି ମହୋତ୍ସବ । ଏବେଠୁ ଚାରିଆଡେ ଉଡିଲାଣି ଫଗୁ । ଏଥିପାଇଁ ରାଜ୍ୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏବେ ସଜାଗ ରହିଛି ପୋଲିସ୍ ବାହିନୀ । ଯେଉଁଭଳି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ, ତାହା ଉପରେ ନଜର ରଖିବା ପାଇଁ ଠାବେ ଠାବେ ଜଗିବେ ପୋଲିସ୍ । ଏଥି ପାଇଁ କଟକ ସହରରେ ମୁତୟନ ହେବେ ୨୨ ପ୍ଲାଟୁନ୍ ପୋଲିସ୍ । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖୁଲାରୀ । ମଦ ପିଇ ହୋଲି ଖେଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦିନ ୧୨ଟାରୁ ୧ଟା ସୁଦ୍ଧା ହୋଲି ଖେଳ ସାରିବାକୁ ଡିସିପି ପରାମର୍ଶ ଦେଇଛନ୍ତି । ହୋଲିରେ ମଦ ଦୋକାନ ବନ୍ଦ ରହିବ । ବେଆଇନ୍ ଭାବେ ମଦ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ । ନଦୀ ତୁଠରେ ନ ଗାଧୋଇ ଘରେ ଗାଧୋଇବାକୁ ପରାମର୍ଶ ଦେଇଛନ୍ତି । ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ହୋଲି ପୂର୍ବରୁ ପୋଲିସ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ରଙ୍ଗ ଲଗାଇ ନିଶାରେ ଉତ୍ପାତ ହେଲେ ବନ୍ଧାହେବେ । ମଦ ପିଇ ରୋମିଓ ବନିଲେ ମଧ୍ୟ ସାବାଡ଼ କରିବ ପୋଲିସ୍ । ହୋଲିରେ ଅମାନିଆଙ୍କୁ ଚେତାବନୀ ଦେଇ କିଛି ଏପରି କହିଛନ୍ତି, ଭୁବନେଶ୍ୱର ଡିସିପି ଜଗମୋହନ ମୀନା । ହୋଲି ପାଇଁ ରାଜଧାନୀ ଭୁବନେଶ୍ବରର ସୁରକ୍ଷାକୁ କଡ଼ାକଡି କରାଯାଇଛି । ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଆଇନଶୃଙ୍ଖଳା ଓ ମଦୁଆଙ୍କୁ ଜଗିବେ ୨୦ ପ୍ଲାଟୁନ ଫୋର୍ସ । ନକଲି ମଦ କାରବାର ରୋକିବାକୁ ସ୍ପେଶାଲ ଡ୍ରାଇଭ ହେବ । ନିଶା ବିକ୍ରିର ପ୍ରମାଣ ମିଳିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ହୋଲି ଅଘଟଣ ରୋକିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କଟକ ଭୁବନେଶ୍ଵର ସହର ପାଇଁ ଅଧିକ ଫୋର୍ସ ମୁତୟନ କରାଯିବ । ଭୁବନେଶ୍ଵର ଓ କଟକ ସହରର ଅତି ସମ୍ବେଦନଶୀଳ ଓ ଦୁର୍ଘଟଣା ବହୁଳ ଜଳାଶୟ ନିକଟରେ ଫୋର୍ସ ମୁତୟନ ହେବେ । ଭୁବନେଶ୍ଵରରେ ୫ଟି ଓ କଟକରେ ୩ଟି ଅତିରିକ୍ତ ଟିମ ଘାଟ ଜଗିବେ । କଟକର ଦେବୀଗଡ଼ା, ଗଡ଼ଗଡ଼ିଆ, ଯୋବ୍ରା ସମେତ ଭୁବନେଶ୍ଵରର ପୁରୀ କେନାଲ, କୁଆଖାଇ ନଦୀଘାଟ, ଦୟାନଦୀ ଘାଟ, ବାଙ୍କୁଆଳ କେନାଲ ବନ୍ଧ, ବାଲିଅନ୍ତା ସାଇଫୋନରେ ମୁତୟନ ରହିବେ । ସମ୍ବଲପୁର ସହର ପାଇଁ ୨ଟି ଟିମ୍ ମୁତୟନ ହେବେ । ଏହାବାଦ ପ୍ରତି ଜିଲ୍ଲାର ସଦର ମହକୁମାରେ ଗୋଟିଏ ଲେଖାଏଁ ଟିମ ଜଗିବେ ଘାଟ । ମୋଟ ୩୪୫ ଅଗ୍ନିଶମ ଟିମ ସାରା ରାଜ୍ୟରେ ମୁତୟନ ରହିବେ । ପୁରୀ ସମୁଦ୍ର କୂଳରେ ୧୦୦ ନୋଳିଆ ମୁତୟନ ରହିବେ । ଏହାବାଦ୍ ସ୍କୁବା ଡ୍ରାଇଭର, ପାୱାର ବୋଟ୍, ହାଇମାଷ୍ଟ ଲାଇଟ୍, ପାଟ୍ରୋଲିଂ ଭେଇକିଲ ବି ଘାଟ ଗୁଡିକରେ ରହିବ ।