ହିତେନ୍ ସ୍ୱାଇଁ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ସମେତ ୬ କୋର୍ଟ ଚାଲାଣ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କେନାଲ ସାହିର ବହୁ ଚର୍ଚ୍ଚିତ ହିତେନ୍ ସ୍ୱାଇଁ ଅପହରଣ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ପୁଲିସ୍ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଭଞ୍ଜନଗର ଅଞ୍ଚଳର ସୁଧାଂଶୁ ସ୍ୱାଇଁଙ୍କ ଏବଂ ତାଙ୍କ ବାପା ବିକ୍ରମ ସ୍ୱାଇଁଙ୍କ ସମେତ ଗାମୁଣ୍ଡି ଧୂଆଛାଇ ଗ୍ରାମର ଚିତ୍ରସେନ ସାହୁ ଓରଫ ପପୁ (୨୩), ଭେଜିପୁଟ ଆଡୁଆ ସାହିର ଜଗା ଓରଫ ଜଗନ୍ନାଥ ଭୁୟାଁ (୨୨), ଭଞ୍ଜନଗର ମାଲ ସାହିର ଚିକୁ ଓରଫ ପ୍ରଦ୍ୟୁମ୍ନ ପାତ୍ର (୨୨), ଗାମୁଣ୍ଡି ଗ୍ରାମର ଫିଲଟର୍ ଓରଫ ପ୍ରୀତିକୃଷ୍ଣ ସ୍ୱାଇଁ (୨୫) ରହିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତ ମାନଙ୍କଠାରୁ ଏକ ଦାମୀ ନିଶାନ୍ ଟେରନା କାର ସହ ଏକ ବାଇକ୍‌, ଭୁଜାଲି, ଠେଙ୍ଗା ସହ ମୃତକଙ୍କ କିଛି ଦରପୋଡ଼ା ସାର୍ଟ, ବାନିଆନ୍‌, ପର୍ସ ଓ ଚପଲ ଆଦି ଜବତ କରାଯାଇଥିବା ଭଞ୍ଜନଗର ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି । ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାସ ଦେଇଥିବା ସୂଚନା ପ୍ରକାରେ ଭଞ୍ଜନଗରରେ ଚାଲିଥିବା ଏକ ଚିଟ୍ ଫଣ୍ଡ ସଂସ୍ଥା କେନି ଇନଫୋନେଟ୍ ବନ୍ଦ ହୋଇଯିବା ପରେ ଏହି କମ୍ପାନୀର ଲକ୍ଷାଧିକ ଟଙ୍କା କୁଆଡେ ହତ୍ୟାର ଶିକାର ହିତେନ୍ ସ୍ୱାଇଁ ପାଖରେ ରହିଥିଲା । ଆଉ ଏହି ଟଙ୍କା ପାଇଁ ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ସ୍ୱାଇଁଙ୍କ ସହ ହିତେନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଶେଷରେ ହିତେନ୍‌କୁ ଜୀବନରୁ ଶେଷ କରିଦେବାକୁ ସୁଧାଂଶୁ ଷଡ଼ଯନ୍ତ୍ର ରଚିଥିଲା । ଏଥିରେ ସୁଧାଂଶୁ ସ୍ୱାଇଁଙ୍କ ବାପା ବିକ୍ରମ ସ୍ୱାଇଁ ତାକୁ ସଂପୂର୍ଣ୍ଣ ସହଯୋଗ କରିଥିଲେ । ପରେ ସୁଧାଂଶୁ ସ୍ୱାଇଁ ହିତେନ୍‌ଙ୍କ ଘରକୁ ଯାଇ ପ୍ଲାନ୍ କରି ଏକ ସୋଲାର ପ୍ରୋଜେକ୍ଟ ବାଉଁଶ ଲୁଣ୍ଡି ସ୍ଥିତ ତାର ଧୂପକାଠି କମ୍ପାନୀରେ ଲଗାଯିବ କହି କୈାଶଳ କ୍ରମେ ସେହି ସ୍ଥାନକୁ ହିତେନ୍‌କୁ ଡାକି ନେଇଥିଲେ । ଆଉ ପୂର୍ବ ଯୋଜନା ପ୍ରକାରେ ସେଠାରେ ସୁଧାଂଶୁଙ୍କ ବାପା ବିକ୍ରମ ସ୍ୱାଇଁ ଙ୍କ ସମେତ ଗାମୁଣ୍ଡି ଧୂଆଛାଇ ଗ୍ରାମର ଚିତ୍ରସେନ ସାହୁ ଓରଫ ପପୁ (୨୩), ଭେଜିପୁଟ ଆଡୁଆ ସାହିର ଜଗା ଓରଫ ଜଗନ୍ନାଥ ଭୁୟାଁ (୨୨), ଭଞ୍ଜନଗର ମାଲ ସାହିର ଚିକୁ ଓରଫ ପ୍ରଦ୍ୟୁମ୍ନ ପାତ୍ର (୨୨), ଗାମୁଣ୍ଡି ଗ୍ରାମର ଫିଲଟର୍ ଓରଫ ପ୍ରୀତିକୃଷ୍ଣ ସ୍ୱାଇଁ (୨୫) ପ୍ରମୁଖ ସଂଘବଦ୍ଧ ଭାବେ ହିତେନ୍ ଉପରେ ଆକ୍ରମଣ କରି ତାକୁ ଶ୍ୱାସରୁଦ୍ଧ କରି ମାରି ଦେଇଥିଲେ । ପରେ ଶିବକୁ ଅଭିଯୁକ୍ତମାନେ ନିଶାନ୍ ଟେରେନା କାରରେ ଗତ ୧୩ ତାରିଖ ରାତି ୯ଟାରେ ଦାରିଙ୍ଗିବାଡି ଘାଟି ୯ ନମ୍ବର ବୁଲାଣିଆ ରାସ୍ତା କଡ଼ରେ ଫୋପାଡି ଦେଇ ଚାଲି ଆସିଥିଲେ । ଅନ୍ୟପକ୍ଷରେ ଚଳିତ ମାସ ୧୨ ତାରିଖରୁ ହିତେନ ଘରକୁ ନଫେରିବା ଦେଖି ତାଙ୍କ ପତ୍ନୀ ମିନତୀ ବିଷୋୟୀ ୧୪ ତାରିଖ ସକାଳେ ଭଞ୍ଜନଗର ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ । ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା । ସୂଚନାଥାଉକି ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ବାୟା ଓରଫ ତ୍ରିପତି ଦାସକୁ ଗିରଫ କରାଯାଇଥିଲା ।