ନୂଆଦିଲ୍ଲୀ: କେନ୍ଦ୍ରଶାସିତ କ୍ଷେତ୍ର ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ଏବଂ ବାରାମୁଳାରେ ରେକର୍ଡ ପରିମାଣର ମତଦାନ ପରେ ଏବେ ଅନନ୍ତନାଗ–ରାଜୌରୀ ସଂସଦୀୟ କ୍ଷେତ୍ର (ପିସି)ରେ ମଧ୍ୟ ମତଦାତାମାନେ ରେକର୍ଡ ସଂଖ୍ୟାରେ ମତାଧିକାର ସାବ୍ୟସ୍ତ କରି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଅନନ୍ତନାଗ, ପୁଂଚ, କୁଲଗାଓଁ ଏବଂ ରାଜୌରୀ ଓ ସୋପିୟାଁ ଜିଲ୍ଲାରେ ଆଂଶିକ ଭାବରେ ଅପରାହ୍ଣ ୫ଟା ସୁଦ୍ଧା ୫୧.୩୫ ପ୍ରତିଶତ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ଯାହାକି ୧୯୮୯ ମସିହା ପରେ, ଅର୍ଥାତ୍, ଦୀର୍ଘ ୩୫ ବର୍ଷ ପରେ ସର୍ବାଧିକ। ଏଭଳି ରେକର୍ଡ ପରିମାଣର ମତଦାନ ପରେ, ଚଳିତ ୨୦୨୪ ମସିହାର ସାଧାରଣ ନିର୍ବାଚନରେ ଉପତ୍ୟକାର ତିନୋଟି ଯାକ ସଂସଦୀୟ କ୍ଷେତ୍ରରେ, ଯଥା ଶ୍ରୀନଗରରେ (୩୮.୪୯%), ବାରାମୁଳାରେ (୫୦.୧%) ଏବଂ ଅନନ୍ତନାଗ-ରାଜୌରୀରେ (୫୧.୩୫% ଅପରାହ୍ଣ ୫ଟା ସୁଦ୍ଧା) ରେକର୍ଡ କରାଯାଇଛି ଯାହାକି ଦୀର୍ଘ ଦଶନ୍ଧି ମଧ୍ୟରେ ସର୍ବାଧିକ । ସାମଗ୍ରିକ ଭାବରେ ଉପତ୍ୟକାର ତିନୋଟି ଯାକ ସଂସଦୀୟ କ୍ଷେତ୍ରରେ ଚଳିତ ସାଧାରଣ ନିର୍ବାଚନରେ ୨୦୧୯ ମସିହା ତୁଳନାରେ, ଯେତେବେଳେ କି ସେଠାରେ ମାତ୍ର ୧୯.୧୬% ମତଦାନ ହୋଇଥିଲା, ମତଦାନ ହାର ~୫୦%ରୁ ଅଧିକ ରହିଛି (ଅନନ୍ତନାଗ ରାଜୌରୀରେ ଅପରାହ୍ନ ୫ଟା ସୁଦ୍ଧା) । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ନେତୃତ୍ୱାଧୀନ ଏବଂ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କୁ ନେଇ ଗଠିତ ନିର୍ବାଚନ ଆୟୋଗ କହିଛନ୍ତି, ‘ଜାମ୍ମୁ ଓ କାଶ୍ମୀରର ଜନସାଧାରଣ, ଅନନ୍ତନାଗ ରାଜୌରୀ ସଂସଦୀୟ କ୍ଷେତ୍ରରେ ମତଦାନ ବେଳେ ମଧ୍ୟ ଗଣତନ୍ତ୍ର ପ୍ରତି ସେମାନଙ୍କ ମନରେ ଥିବା ଆସ୍ଥାକୁ ପ୍ରମାଣିତ କରିଛନ୍ତି ଏବଂ ସମାଲୋଚକମାନଙ୍କୁ ଭୁଲ୍ ବୋଲି ସାବ୍ୟସ୍ତ କରିଛନ୍ତି ।’ ଅନନ୍ତନାଗ ରାଜୌରୀ ସଂସଦୀୟ କ୍ଷେତ୍ର ନିମନ୍ତେ ମୋଟ ୨୩୩୮ ଗୋଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା ଏବଂ ସମସ୍ତ ମତଦାନ କେନ୍ଦ୍ରରେ ଲାଇଭ୍ ୱେବକାଷ୍ଟିଂ କରାଯାଇଥିଲା । ମତଦାନ ସକାଳ ୭ଟାବେଳେ ଆରମ୍ଭ ହୋଇଥିଲା ଏବଂ ଏହି ସଂସଦୀୟ କ୍ଷେତ୍ରର ସମସ୍ତ ମତଦାନ କେନ୍ଦ୍ର ସମ୍ମୁଖରେ ମତଦାତାମାନେ ପ୍ରବଳ ଆଗ୍ରହର ସହ ଭୋଟ ଦେବାକୁ ଅପେକ୍ଷା କରିଥିବା ଲକ୍ଷ୍ୟ କରାଯାଇଥିଲା। ସେଠାରେ ମତଦାନକୁ ସରଳ, ସୁଗମ, ଶାନ୍ତିପୂର୍ଣ୍ଣ ଏବଂ ଅବାଧ ଭାବେ ଅନୁଷ୍ଠିତ କରାଇବା ସକାଶେ ପୋଲିଂ ଅଧିକାରୀ ଓ କର୍ମଚାରୀ ତଥା ସୁରକ୍ଷା କର୍ମୀମାନେ ଅକ୍ଳାନ୍ତ ଶ୍ରମ ସ୍ୱୀକାର କରିଥିଲେ। ମତଦାତାମାନଙ୍କୁ ଭୋଟ ଗ୍ରହଣ କେନ୍ଦ୍ର ସମ୍ମୁଖରେ ଉତ୍ସବାନୁଷ୍ଠାନ ଭଳି ସ୍ୱାଗତ କରାଯାଇଥିଲା। ଅନନ୍ତନାଗ ରାଜୌରୀ ସଂସଦୀୟ କ୍ଷେତ୍ର ନିମନ୍ତେ ଚଳିତ ଥର ୨ ଜଣ ମହିଳା ପ୍ରତ୍ୟାଶୀଙ୍କୁ ମିଶାଇ ମୋଟ ୨୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।କାଶ୍ମୀରର ସ୍ଥାନାନ୍ତରୀ ମତଦାତାମାନେ ଯେଉଁମାନେ କି ଦିଲ୍ଲୀ, ଜାମ୍ମୁ ଓ ଉଧମପୁରର ରିଲିଫ ଶିବିରଗୁଡ଼ିକରେ ଅବସ୍ଥାନ କରୁଛନ୍ତି ସେମାନେ ବ୍ୟକ୍ତିଗତ ଭାବରେ ମତଦାନ କରିବା ସକାଶେ ଆୟୋଗଙ୍କ ପକ୍ଷରୁ ସ୍ୱୀକୃତ ବିଶେଷ ମତଦାନ କେନ୍ଦ୍ରମାନ ସ୍ଥାପନ କରାଯାଇଛି ଅଥବା ସେମାନେ ପୋଷ୍ଟାଲ ବାଲଟ ମାଧ୍ୟମରେ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ। ଏଥି ନିମନ୍ତେ ଜାମ୍ମୁରେ ୨୧ଟି, ଉଧମପୁରଠାରେ ଗୋଟିଏ ଏବଂ ଦିଲ୍ଲୀରେ ୪ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି।