ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି: ପୂର୍ବ ଥଇଥାନ ସହାୟତା ନୀତି ବଳବତ୍ତର

ଭୁବନେଶ୍ୱର : ଏଣିକି ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ, ୨୦୨୦ ଆରମ୍ଭ ହେବା ତାରିଖ ପୂର୍ବରୁ ଥଇଥାନ ସହାୟତା ସମ୍ବନ୍ଧିତ ସମସ୍ତ ବିଚାରାଧୀନ ଆବେଦନ ୧୯୯୦ରେ ପ୍ରଚଳିତ ନିୟମ ଅନୁଯାୟୀ ବିଚାର କରାଯିବ। ଏହାଦ୍ୱାରା ୨୦୨୦ର ନିୟମ ଲାଗୁହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଲାଗୁହେବ ଏବଂ ଥଇଥାନ ସହାୟତା ଯୋଜନାରେ ୧୯୯୦ ନିୟମ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ। ଏନେଇ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି। ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆମ ସରକାର କ୍ୟାବିନେଟ୍‌ରେ ଏନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଆମେ ସମସ୍ତେ ଅନୁଭବ କରୁ ଯେ, ଯେତେବେଳେ ଗୋଟିଏ ପରିବାର ମୁଖିଆ ମୃତ୍ୟୁ ବରଣ କରନ୍ତି, ତାଙ୍କ ପରିବାର ଅସହାୟ ହୋଇଯାଏ। ପରିବାର ବିପନ୍ନ ଅବସ୍ଥାକୁ ଚାଲିଯାଏ। ଆଗରୁ, ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ, ବିପନ୍ନ ପରିବାରକୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସିଭିଲ ସର୍ଭିସ (ଥଇଥାନ ସହାୟତା) ନିୟମ, ୧୯୯୦ ଅନୁଯାୟୀ, ପରିବାରର ଜଣେ ସଦସ୍ୟଙ୍କୁ ସରକାର, ଗ୍ରୁପ-ସି ଓ ଗ୍ରୁପ-ଡିରେ ନିଯୁକ୍ତି ଦେଉଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିପର୍ଯ୍ୟୟ ପ୍ରମାଣପତ୍ର ଆଧାରରେ ଏଭଳି ନିଯୁକ୍ତି ଦିଆଯାଉଥିଲା। ଦୁର୍ଭାଗ୍ୟ ବଶତଃ ୨୦୨୦ରେ ତତ୍କାଳୀନ ସରକାର ନୂତନ ନିୟମାବଳୀ ପ୍ରଣୟନ କରି ବିପର୍ଯ୍ୟୟ ପ୍ରମାଣ ପତ୍ର ବଦଳରେ ମାର୍କିଂ ସିଷ୍ଟମ ଲଗାଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁ ସରକାରୀ କର୍ମଚାରୀ ୧୯୯୦ରୁ ୨୦୨୦ ଭିତରେ ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ପରିବାର ବର୍ଗଙ୍କୁ ମଧ୍ୟ ନୂଆ ନିୟମାବଳୀର ପରିସରଭୁକ୍ତ କରିଦେଲେ। ଅନେକ ପରିବାର ଏହି ସହାୟତାରୁ ବଞ୍ଚିତ ହୋଇ ନିଯୁକ୍ତି ଦାବି କରି ଆସୁଛନ୍ତି ଏବଂ ଅନେକ କେସ୍ ମଧ୍ୟ ଫାଇଲ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଥିପାଇଁ କ୍ୟାବିନେଟ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଅନେକ ପରିବାର ଆଶ୍ୱସ୍ତି ପାଇବେ ଏବଂ ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟରେ ବିଚାରାଧୀନ ଥିବା ଅନେକ ମାମଲା ହ୍ରାସ ପାଇବ। ଏହା ଆମ ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ ଏବଂ ଏହା ମୃତ କର୍ମଚାରୀଙ୍କ ପରିବାରକୁ ସମ୍ମାନର ସହ ବଞ୍ଚିବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରେ।