ବୃଦ୍ଧି ପାଉଛି ହୀରାକୁଦ ଜଳସ୍ତର: ପୁଣି ଖୋଲିଲା ୪ଟି ଗେଟ୍

ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷାର ପରିମାଣ ବଢ଼ିବା ଯୋଗୁଁ ଜଳଭଣ୍ଡାରକୁ ବନ୍ୟାଜଳର ପ୍ରବେଶ ବୃଦ୍ଧି ପାଇଛି। ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ସର୍ବୋଚ୍ଚ ଜଳଧାରଣ କ୍ଷମତା ନିକଟତର ହେଉଥିବାରୁ ରବିବାର ପୁଣିଥରେ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଫଳରେ ବର୍ତ୍ତମାନ ମୋଟ ୫ଟି ସ୍ଲୁଇସ୍ ଗେଟ୍ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ସୂଚନା ଅନୁସାରେ, ଜଳଭଣ୍ଡାରର ଜଳସ୍ତର ୬୨୯.୩୧ ଫୁଟ୍‌ରେ ପହଞ୍ଚିଛି। ଏହି ସମୟରେ ହୀରାକୁଦକୁ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୨୫ ହଜାର ୦୯୫ ଘନଫୁଟ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ମୋଟ ୧ ଲକ୍ଷ ୧୬ ହଜାର ୯୭୦ ଘନଫୁଟ ଜଳ ନିଷ୍କାସିତ ହେଉଛି। ନିଷ୍କାସିତ ଜଳ ମଧ୍ୟରୁ ବାମ ପାର୍ଶ୍ୱର ୩ଟି ଓ ଦକ୍ଷିଣ ପାର୍ଶ୍ୱର ୨ଟି ମିଶି ମୋଟ ୫ଟି ସ୍ଲୁଇସ୍ ଗେଟ୍ ଦେଇ ୮୧ ହଜାର ୯୨୫ ଘନଫୁଟ ଜଳ ଛଡ଼ାଯାଉଛି।