ନୂଆଦିଲ୍ଲୀ: ଆସାମ ରାଜନୀତିରେ ପୁଣି ଥରେ ହିମନ୍ତ ଯୁଗ। ଆଜି ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହିମନ୍ତ ବିଶ୍ୱଶର୍ମା। ଗୌହାଟୀର ଖାନାପଡ଼ା ଭେଟେନାରୀ କଲେଜ ଗ୍ରାଉଣ୍ଡରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ହିମନ୍ତଙ୍କ ସମେତ ୪ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ଏହାସହ ଆସାମରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ (NDA) ନେତୃତ୍ୱାଧୀନ ସରକାର ଗଠନ ହୋଇଛି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଏନଡିଏର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ଉତ୍ତର-ପୂର୍ବ ଭାରତରେ ବିଜେପିର ଜଣେ ଶକ୍ତିଶାଳୀ ନେତା ଭାବେ ପରିଚିତ ହିମନ୍ତଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ହଜାର ହଜାର ଦଳୀୟ କର୍ମୀଙ୍କ ସମାଗମ ହୋଇଥିଲା। ଶପଥ ଗ୍ରହଣ ସମାରୋହ ଶେଷ ହେବା ପରେ ନୂତନ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ନୂତନ କାର୍ଯ୍ୟକାଳରେ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ଏବଂ ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେବେ ବୋଲି ଜଣାପଡ଼ିଛି।