ପଶ୍ଚିମବଙ୍ଗରେ ପୁଣି ହିଜାବ ବିବାଦ, ପରୀକ୍ଷା ବାତିଲ

କୋଲକାତା,: ଦୀର୍ଘଦିନର ବ୍ୟବଧାନପରେ ପଶ୍ଚିମବଙ୍ଗରେ ପୁଣି ହିଜାବ ବିବାଦ ମୁଣ୍ଡ ଟେକିଛି । ହାୱାଡା ଜିଲ୍ଲା ଅନ୍ତର୍ଗତ ଧୁଲାଗଡସ୍ଥିତ ଏକ ସ୍କୁଲରେ ହିଜାବ୍ ଓ ନାମାବଳୀ ପରିଧାନକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିବା ଜଣାପଡିଛି । ସ୍କୁଲ କର୍ତ୍ତୃପକ୍ଷ ପ୍ରଥମେ ମୁସ୍‌ଲିମ୍ ସଂପ୍ରଦାୟର ଛାତ୍ରୀଙ୍କୁ ହିଜାବ୍ ପିନ୍ଧି କ୍ଲାସ୍ ଆସିବାକୁ ଅନୁମତି ପ୍ରଦାନ କରିଥିଲେ । ଏଥିରେ ହିନ୍ଦୁ ଛାତ୍ରଛାତ୍ରୀ ଆପତ୍ତି ଉଠାଇବା ସହ ସ୍କୁଲକୁ ମୁଣ୍ଡରେ ଗେରୁଆ ରଙ୍ଗର ‘ନାମାବଳୀ’ ପିନ୍ଧି ଆସିଥିଲେ । ଜଣେ ମୁସ୍‌ଲିମ୍ ଛାତ୍ରୀ ଏହାକୁ ବିରୋଧ କରିବାପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଉଭୟପକ୍ଷ ମଧ୍ୟରେ ପ୍ରବଳ ମାରିପିଟ୍ ହୋଇଥିବାବେଳେ ଉତ୍ତ୍ୟକ୍ତ ଛାତ୍ରମାନେ ସ୍କୁଲ ଆସବାବପତ୍ର ଭାଙ୍ଗିଦେଇଥିଲେ । ସ୍କୁଲ କର୍ତ୍ତୃପକ୍ଷଙ୍କ ସୂଚନାକୁ ଆଧାର କରି ପୁଳିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଅପ୍ରୀତିକର ପରିସ୍ଥିତି ଯୋଗୁଁ ବୁଧବାର ଅନୁଷ୍ଠିତ ହେବାକୁ ଥିବା ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି । ଗଣ୍ଡଗୋଳ ପରେ ପୁଲିସ ଉପସ୍ଥିତିରେ ସ୍କୁଲ ପରିଚାଳନା କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଣିକି ସବୁ ଛାତ୍ର ୟୁନିଫର୍ମ ପିନ୍ଧି ସ୍କୁଲ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Hijab controversy again in West Bengal