ପୁରୀ: ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରର ସୁଆର ଏବଂ ମହାସୁଆର ନିଯୋଗ କର୍ମକର୍ତ୍ତାଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଭକ୍ତମାନେ ଯେପରି ବିନା ଦ୍ୱିଧାରେ ଏବଂ ଉପଯୁକ୍ତ ମୂଲ୍ୟରେ ଶୁଦ୍ଧ ମହାପ୍ରସାଦ ପାଇପାରିବେ, ସେ ନେଇ ବିସ୍ତୃତ ଆଲୋଚନା ହୋଇଛି ।ବୈଠକରେ ମୁଖ୍ୟତଃ ଶ୍ରୀମନ୍ଦିରର ରୋଷଘରେ ମହାପ୍ରସାଦ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଅବଢ଼ା ପ୍ରସ୍ତୁତିରେ ଖାଣ୍ଟି ଘିଅ ଏବଂ ଉନ୍ନତ ମାନର ସାମଗ୍ରୀ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ସେବାୟତମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ ଆନନ୍ଦ ବଜାରରେ ବାସି ଅବଢ଼ା ବିକ୍ରିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଏବଂ ପରିମଳ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ନେଇ ଆଲୋଚନା ହୋଇଛି। ସୁଆର ଓ ମହାସୁଆର ନିଯୋଗର ସେବାୟତମାନେ ମଧ୍ୟ ମହାପ୍ରସାଦର ପବିତ୍ରତା ବଜାୟ ରଖିବା ଦିଗରେ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଭକ୍ତଙ୍କୁ ମହାପ୍ରସାଦ ବିକ୍ରି ସମୟରେ ଦରଦାମ୍କୁ ନେଇ ଯେପରି କୌଣସି ଅସନ୍ତୋଷ ସୃଷ୍ଟି ନହୁଏ କିମ୍ବା ଶୋଷଣ କରା ନଯାଏ, ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ଦର ତାଲିକା ଲାଗୁ କରିବା ନେଇ ବୈଠକରେ ବିଚାରବିମର୍ଶ ହୋଇଛି । ଆନନ୍ଦ ବଜାରରେ ଅଣସେବାୟତ ବା ବେଆଇନ ବ୍ୟବସାୟୀଙ୍କ ପ୍ରବେଶକୁ କଡ଼ା ହସ୍ତରେ ଦମନ କରିବା ଏବଂ ପଲିଥିନ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।