ଚୀନ୍ ସିପିସି କଂଗ୍ରେସରେ ହାଇ ଡ୍ରାମା : ମିଟିଂରୁ ପୂର୍ବତନ ରାଷ୍ଟ୍ରପତି ଜିନ୍ତାଓଙ୍କୁ ଉଠାଇ ନିଆଗଲା

ବେଜିଂ: ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଦେଶରେ ନିଜର ସମସ୍ତ ବିରୋଧୀ ନେତାମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ଷମତାସୀନ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିରେ ନିଜ ହାତମୁଠାକୁ ଟାଣ କରିଛନ୍ତି । ଶନିବାର ଶେଷ ହୋଇଥିବା ପାର୍ଟିର ବିଂଶତମ କଂଗ୍ରେସ ଅର୍ଥାତ୍ ସିପିସି ମିଟିଂରେ ହାଇଡ୍ରାମା ଦେଖିବାକୁ ମିଳିଛି । ଶେଷଦିନ ପୂର୍ବତନ ରାଷ୍ଟ୍ରପତି ହୁ ଜିନ୍ତାଓଙ୍କୁ ମିଟିଂରୁ ଜବରଦସ୍ତ ବାହାର କରିଦିଆଯାଇଛି । ସେହିପରି ଦେଶର ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗ୍‌ଙ୍କ ସମେତ ଅନ୍ୟ ତିନିଜଣ ବରିଷ୍ଠ ନେତାଙ୍କୁ ମଧ୍ୟ ଜିନ୍‌ପିଙ୍ଗ୍ ପାର୍ଟି ପଲିଟିବ୍ୟୁରୋରୁ ହଟାଇ ଦେଇଛନ୍ତି ।
ନ୍ୟୁଜ୍ ଏଜେନ୍ସି ରୟଟର୍ସ ସୂତ୍ରରୁ ଜାରି ଏକ ଭିଡିଓରେ ଜିନ୍‌ପିଙ୍ଗ୍‌ଙ୍କ ନିକଟରେ ବସିଥିବା ପୂର୍ବତନ ରାଷ୍ଟ୍ରପତି ହୁ ଜିନ୍ତାଓଙ୍କୁ ଦୁଇଜଣ ସୁରକ୍ଷା କର୍ମୀ ଚୌକିରୁ ଉଠାଇ ଏସକର୍ଟ କରି ମିଟିଂ ହଲ୍ ବାହାରକୁ ନେଇଯାଉଥିବା ଦେଖିବାକୁ ମିଳିଛି । ହୁଜିନ୍ତାଓ ଚୀନ୍ କମ୍ୟୁନିଷ୍ଟ ପାଟିର ଜଣେ ବରିଷ୍ଠ ନେତା । ଜିନ୍‌ପିଙ୍ଗ୍ ୨୦୧୩ରେ ରାଷ୍ଟ୍ରପତି ନିଯୁକ୍ତ ହେବା ପୂର୍ବରୁ ସେ ଦଶବର୍ଷ ଧରି ଚୀନ୍‌ର ରାଷ୍ଟ୍ରପତି ଥିଲେ । ୨୦୦୩ ମାର୍ଚ୍ଚ ୧୫ରୁ ରାଷ୍ଟ୍ରପତି ଥିବା ଜିନ୍ତାଓ ସମ୍ବିଧାନ ଅନୁସାରେ ଦୁଇଥର କାର୍ଯ୍ୟକାଳ ପୂରା ହେବାପରେ ୨୦୧୩ ମାର୍ଚ୍ଚ ୧୪ ତାରିଖରେ ପଦ ଛାଡ଼ିଥିଲେ । ଅବଶ୍ୟ ଏହାପରେ ସେ ଲଗାତାର କମ୍ୟୁନିଷ୍ଟ ପାର୍ଟି ମିଟିଂରେ ସାମିଲ ରହୁଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗ୍‌ଙ୍କୁ ମଧ୍ୟ ଜିନ୍‌ପିଙ୍ଗ୍ ପାର୍ଟି ପଲିଟିବ୍ୟୁରୋ ଷ୍ଟାଣ୍ଡିଂ କମିଟିରୁ ହଟାଇ ଦେଇଥିବା ନ୍ୟୁଜ୍ ଏଜେନ୍ସି ଏପି ସୂତ୍ରରୁ ଜଣାଯାଇଛି । ତାଙ୍କ ସହିତ ଅନ୍ୟ ତିନିଜଣ ବରିଷ୍ଠ ନେତା ପାର୍ଟିର ଶାଙ୍ଘାଇ ପ୍ରମୁଖ ହାନ୍ ଝେଙ୍ଗ୍‌, ପାର୍ଟି ପରାମର୍ଶଦାତା କମିଟି ମୁଖ୍ୟ ୱାଙ୍ଗ୍ ୟାଙ୍ଗ୍ ଏବଂ ନାସ୍‌ନାଲ୍ ପିପୁଲ୍ସ କଂଗ୍ରେସ ମୁଖ୍ୟ ଲି ଝାନ୍‌ଶୁଙ୍କୁ ମଧ୍ୟ ପାର୍ଟି ନେତୃତ୍ୱରୁ ହଟାଇ ଦିଆଯାଇଛି । ଲି ଝାନ୍‌ଶୁ ଜିନ୍‌ପିଙ୍ଗ୍‌ଙ୍କ ସବୁଠୁ ନିକଟତମ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ଏମାନଙ୍କ ସ୍ଥାନରେ ଡିଙ୍ଗ୍ ଶୁଶିୟାଙ୍ଗ୍‌, ଚେନ୍ ମିନେରୋ, ଲି କିୟାଗ୍ନ ଏବଂ ହୁ ଚୁନ୍‌ହୁଆଙ୍କ ନାମ ପଲିଟିବ୍ୟୁରୋ ଷ୍ଟାଣ୍ଡିଂ କମିଟି ପାଇଁ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ, ଗତ ସାତଦିନ ଥରି ବେଜିଂରେ ଚାଲିଥିବା ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିପିସି)ର ଉଚ୍ଚସ୍ତରୀୟ ମିଟିଂ ଆଜି ଶେଷ ହୋଇଛି । ଏହି ଅବସରରେ ପାର୍ଟିର ସମ୍ବିଧାନରେ ସଂଶୋଧନକୁ ମଞ୍ଜୁରୀ ଦିଆଯାଇଛି । ଏହି ସଂଶୋଧନ ବଳରେ ଚୀନ୍‌ର ସର୍ବୋଚ୍ଚ ନେତା ଭାବେ ଜିନ୍‌ପିଙ୍ଗ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇବ । ଫଳରେ ଜିନ୍‌ପିଙ୍ଗ୍ ଆଜୀବନ ଚୀନ୍‌ର ରାଷ୍ଟ୍ରପତି ରହିବା ଏକ ପ୍ରକାର ପରିଷ୍କାର ହୋଇଯାଇଛି । ଏହି ଅବସରରେ ୧୧ ମହିଳାଙ୍କ ସମେତ ପାର୍ଟିର ୨୦୫ ସଦସ୍ୟ ନୂଆ କେନ୍ଦ୍ରୀୟ କମିଟି ପାଇଁ ମଧ୍ୟ ଭୋଟିଂ କରିଥିଲେ । କେନ୍ଦ୍ରୀୟ କମିଟି ପାର୍ଟିର ୨୫ ପଲିଟିବ୍ୟୁରୋ ସଦସ୍ୟ ଏବଂ ୭ ଜଣ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ଚୟନ କରିଥାଏ । ଏହି ସଦସ୍ୟଙ୍କ ନାମ ଅକ୍ଟୋବର ୨୩ ତାରିଖରେ ଘୋଷଣା କରାଯିବ ।