କଟକ : ୨୦୨୦ ଜୁନ ୧୧ର ଚୂଡ଼ାନ୍ତ ରାଜ୍ୟ ସଚିବାଳୟର ଏଏସ୍ଓ (ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍)ଙ୍କ ଗ୍ରେଡେସନ୍ ତାଲିକାର ସଂଶୋଧନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ବିଭୁପ୍ରସାଦ ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୦ରେ ପ୍ରକାଶିତ ଏଏସ୍ଓଙ୍କ ଗ୍ରେଡେସନ୍ ତାଲିକାକୁ ଚ୍ୟାଲେଞ୍ଜ କରି ଦାୟର ୧୦ଟି ମାମଲାର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ଗ୍ରେଡେସ୍ନ ତାଲିକାରେ ବରିଷ୍ଠତା ପ୍ରସଙ୍ଗକୁ ନେଇ ଦୁଇଟି ବ୍ୟାଚ୍ରେ ସିଧାସଳଖ ନିଯୁକ୍ତ ଏଏସ୍ଓଙ୍କ ତରଫରୁ ୭ଟି ମାମଲା ଦାୟର କରାଯାଇଥିଲା। ସେହିଭଳି ପଦୋନ୍ନତି ମାଧ୍ୟମରେ ଏହି ପଦରେ ନିଯୁକ୍ତ ଅଧିକାରୀ ଓ ସିଧାସଳଖ ନିଯୁକ୍ତଙ୍କ ବରିଷ୍ଠତା ପ୍ରସଙ୍ଗକୁ ନେଇ ତିନୋଟି ମାମଲା ଦାୟର ହୋଇଥିଲା। ଏଏସ୍ଓଙ୍କ ୨୦୨୦ର ଗ୍ରେଡେସନ୍ ତାଲିକାକୁ ଚ୍ୟାଲେଞ୍ଜ କରି ଦାୟର ଏହି ୧୦ଟି ମାମଲାକୁ ହାଇକୋର୍ଟ ଗ୍ରହଣ କରି ସମସ୍ତ ଆବେଦନକାରୀଙ୍କ ବରିଷ୍ଠତା ପୁନଃନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ରେ ସିଧାସଳଖ ଏଏସ୍ଓ ପଦରେ ନିଯୁକ୍ତି ପାଇଁ ଦୁଇଟି ଚୟନ ତାଲିକା ପ୍ରକାଶ ପାଇଥିବା ବେଳେ ପ୍ରଥମେ ଆସିଥିବା ତାଲିକାକୁ ପ୍ରାଥମିକତା ଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଏସ୍ଓ କ୍ୟାଡର୍କୁ ପ୍ରଥମେ ୨୦୧୬ ଜାନୁଆରି ୨୭ ଓ ୨୦୧୬ ମେ ୧୮ରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ସେହି ବର୍ଷ ପରବର୍ତ୍ତୀ ସମୟରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ଠାରୁ ବରିଷ୍ଠ ଭାବେ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ନିର୍ଦ୍ଦିଷ୍ଟ ବର୍ଷରେ ସିଧାସଳଖ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ଠାରୁ ପଦୋନ୍ନତି ମାଧ୍ୟମରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ବରିଷ୍ଠ ସ୍ଥାନରେ ରଖାଯିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।
୨୦୧୦ରେ ନୂଆ ଓଡ଼ିଶା ସଚିବାଳୟ ସେବା ନିଯୁକ୍ତି ନିୟମାବଳୀ ସରକାର ଆଣିଥିଲେ। ଏହା ପୂର୍ବରୁ ୧୯୫୧ ନିୟମ ଅନୁସାରେ ସଚିବାଳୟରେ ଜଣେ ଜୁନିୟର ଆସିଷ୍ଟାଣ୍ଟ ଭାବେ ପ୍ରଥମେ ଯୋଗ ଦେଉଥିଲେ। ଜୁନିୟର ଆସିଷ୍ଟାଣ୍ଟ ଓ ସିନିୟର ଆସିଷ୍ଟାଣ୍ଟ ପଦର ମିଶ୍ରଣ କରାଯାଇଥିଲା। ନୂଆ ପଦକୁ ଏଏସ୍ଓ ଭାବେ ସ୍ବୀକୃତି ପ୍ରଦାନ କରାଯାଇଥିଲା ୨୦୧୬ରେ ନୂଆ ନିୟମାବଳୀ ପୁଣି ସରକାର ଆଣିଥିଲେ ଯାହା ୨୦୧୭ ଜାନୁଆରି ୧୧ରୁ ଲାଗୁ ହୋଇଥିଲା। ୨୦୧୮ ଜାନୁଆରି ୧ ସୁଦ୍ଧା ଏଏସ୍ଓଙ୍କ ଗ୍ରେଡେସନ୍ ତାଲିକା ପ୍ରକାଶ କରାଯିବା ସହିତ ଆପତ୍ତି ଆହ୍ୱାନ କରାଯାଇଥିଲା। ଏହାପରେ ୨୦୨୦ ଜୁନ ୧୧ରେ ଚୂଡ଼ାନ୍ତ ଗ୍ରେଡେସନ୍ ତାଲିକା ପ୍ରକାଶ ପାଇଥିଲା। ୨୦୧୬ରେ ଦୁଇଟି ବିଜ୍ଞପ୍ତି ଆଧାରରେ ସିଧାସଳଖ ନିଯୁକ୍ତି ପାଇଥିବା ଏଏସ୍ଓ ଗ୍ରେଡେସନ୍ ତାଲିକାରେ ଉପଯୁକ୍ତ ସ୍ଥାନ ପାଇ ନଥିବା ଅଭିଯୋଗ ହୋଇଥିଲା। ସେହିଭଳି ଭାବେ ଏହି ଅଧିକାରୀଙ୍କ ଯଥେଷ୍ଟ ପୂର୍ବରୁ ନିଯୁକ୍ତି ପାଇବା ସହିତ ପଦୋନ୍ନତି ମାଧ୍ୟମରେ ଏହି ପଦରେ କାର୍ଯ୍ୟ କରୁଥିବା ଏଏସ୍ଓଙ୍କୁ ଗ୍ରେଡେସନ୍ ତାଲିକାରେ ଉପରସ୍ଥାନ ପ୍ରଦାନ କରାଯାଉ ବୋଲି ଦାବି ହୋଇଥିଲା।