ରାଜଧାନୀରେ ହାଇଟେକ୍ ଏସ୍କର୍ଟ ରାକେଟ୍‌ର ପର୍ଦ୍ଦାଫାସ: ଇନଷ୍ଟାଗ୍ରାମରୁ ଫଟୋ ଚୋରି କରି ଚଳାଉଥିଲେ ସେକ୍ସ ରାକେଟ, ୪ ଗିରଫ

ଭୁବନେଶ୍ୱର: ସୋସିଆଲ ମିଡିଆରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଗ୍ରାହକଙ୍କୁ ପ୍ରଲୋଭିତ କରିବା ସହ ଲକ୍ଷ ଲକ୍ଷ ଟଙ୍କାର ଅନଲାଇନ୍ ଠକେଇ ଚଳାଇଥିବା ଏକ ହାଇଟେକ୍ ଏସ୍କର୍ଟ ରାକେଟ୍‌ର ପର୍ଦ୍ଦାଫାସ କରିଛି ତମାଣ୍ଡୋ ଥାନା ପୋଲିସ। ଏହି ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉମାକାନ୍ତ ଦଳେଇ, ଚିତ୍ତରଞ୍ଜନ ମହାନ୍ତି, ତୋଫାନ ପ୍ରଧାନ ଓ କୁମାରୀ ମିଞ୍ଜି। ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଇନଷ୍ଟାଗ୍ରାମ’ରୁ ବିଭିନ୍ନ ଯୁବତୀଙ୍କ ଫଟୋକୁ ସେମାନଙ୍କ ବିନା ଅନୁମତିରେ ଚୋରି କରୁଥିଲେ। ପରେ ସେହି ସବୁ ଫଟୋକୁ ଏସ୍କର୍ଟ ସର୍ଭିସର ବିଜ୍ଞାପନ ଭାବେ ବ୍ୟବହାର କରି ଗ୍ରାହକଙ୍କୁ ଟାର୍ଗେଟ କରୁଥିଲେ। ଗ୍ରାହକ ଜାଲରେ ପଡ଼ିବା ପରେ ବୁକିଂ ଚାର୍ଜ, କ୍ୟାବ୍ ଚାର୍ଜ ଏବଂ ସର୍ଭିସ ଚାର୍ଜ ନାଁରେ ବିଭିନ୍ନ ଅନଲାଇନ୍ ପେମେଣ୍ଟ ମାଧ୍ୟମରେ ଅଗ୍ରିମ ଟଙ୍କା ଆଦାୟ କରି ଠକୁଥିଲେ। ଜଣେ ପୀଡ଼ିତା ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏହି ଆକ୍ସନ ନେଇଛି। ମାମଲାର ଗୁରୁତ୍ୱକୁ ଦେଖି ତମାଣ୍ଡୋ ଥାନା ପୋଲିସ ଏକ ସ୍ୱତନ୍ତ୍ର ଡିଜିଟାଲ୍ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ମୋବାଇଲ ନମ୍ବର, ସୋସିଆଲ ମିଡିଆ ସ୍କ୍ରିନସଟ, ଚାଟ୍ ରେକର୍ଡ ଏବଂ ୟୁପିଆଇ (UPI) କାରବାରକୁ ଯାଞ୍ଚ କରିବା ପରେ ପୋଲିସ ଏହି ଗ୍ୟାଙ୍ଗର ସନ୍ଧାନ ପାଇଥିଲା ଓ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

Hi-tech escort racket busted in the capital: Sex racket was being run by stealing photos from Instagram