ନୂଆଦିଲ୍ଲୀ : ନିଜ ସରକାରୀ ବଙ୍ଗଳାରେ ନିଆଁ ଲାଗିବା ଯୋଗୁ ଯେ, ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ସେନେଇ ଜଣେ ହାଇକୋର୍ଟ ବିଚାରପତି କେବେ ଭାବି ବି ନଥିବେ। କିନ୍ତୁ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି। ରିପୋର୍ଟ ଅନୁସାରେ ଜଷ୍ଟିସ୍ ବର୍ମାଙ୍କ ଘରୁ ଆୟବହିର୍ଭୂତ ୧୫ କୋଟି ଟଙ୍କା ଜବତ କରାଯିବା ଘଟଣାରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲ।।ବାଦ ହାଇକୋର୍ଟ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶ କରିଥିବା ସୂଚନା ମିଳିଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱାଧୀନ ୩ଜଣିଆ ବରିଷ୍ଠ ବିଚାରପତିଙ୍କ କଲେଜିୟମ୍ ଜଷ୍ଟିସ୍ ବର୍ମାଙ୍କୁ ତାଙ୍କର ମୂଳ ହାଇକୋର୍ଟ ଅର୍ଥାତ୍ ଆହ୍ଲାବାଦ ହାଇକୋର୍ଟକୁ ବଦଳି ପାଇଁ ସୁପାରିଶ କରିଥିବା କୁହାଯାଉଛି। ଏପରିକି ତାଙ୍କ ବିରୋଧରେ ତଦନ୍ତ ଓ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବା ବିଷୟରେ ଆଲୋଚନା ହେଉଛି। ତେବେ ସୁପ୍ରିମକୋର୍ଟ କଲେଜିୟମଙ୍କ ଏହି ନିଷ୍ପତ୍ତି ଏବେ ଉଭୟ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ତୀବ୍ର ବିତର୍କର ସୂତ୍ରପାତ କରିଛି। ଅନ୍ୟପକ୍ଷେ ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଜଷ୍ଟିସ୍ ବର୍ମାଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ମଧ୍ୟ ଜଣାପଡିଛି। ଆହ୍ଲାବାଦ ହାଇକୋର୍ଟର ବାର ଆସୋସିଏସନ ତାଙ୍କୁ ପୁଣି ଆହ୍ଲାବାଦ ହାଇକୋର୍ଟକୁ ନ ପଠାଇବାକୁ ସୁପ୍ରିମକୋର୍ଟ କଲେଜିୟମ୍ଙ୍କୁ ଅନୁରୋଧ କରିଛି। ବାର ଆସୋସିଏସନ କହିଛି ଯେ ଆହ୍ଲାବାଦ ହାଇକୋର୍ଟ କୌଣସି ଡଷ୍ଟବିନ୍ ନୁହେଁ ଯେଉଁଠାରେ ଦୁର୍ନୀତି ଅଭିଯୁକ୍ତଙ୍କୁ ଥଇଥାନ ପାଇଁ ପଠାଯିବ। ଜଷ୍ଟିସ୍ ବର୍ମାଙ୍କ ବିରୁଦ୍ଧରେ ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟିକ କାର୍ଯ୍ୟରୁ ଦୂରେଇ ରଖାଯିବା ଉଚିତ ବୋଲି ବାର୍ କହିଛି। ଏହି ପ୍ରସଙ୍ଗରେ ବାର ଆସୋସିଏସନ ମାର୍ଚ୍ଚ ୨୪ରେ ଏକ ସାଧାରଣ ପରିଷଦ ବୈଠକ ମଧ୍ୟ ଡକାଇଛି। ବୈଠକରେ ଏହି ପ୍ରସଙ୍ଗ ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ଆସୋସିଏସନ କହିଛି। ଏସବୁ ମଧ୍ୟରେ ଏହି ଘଟଣାରେ ଆଉ ଏକ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ରିପୋର୍ଟ ଲେଖାହେବା ସୁଦ୍ଧା ସୁପ୍ରିମକୋର୍ଟ କଲେଜିୟମ ଏପ୍ରକାର କୌଣସି ବଦଳି ସୁପାରିଶ କରାଯାଇନଥିବା ଏକ ବିବୃତି ଜାରି ପୂର୍ବକ ସ୍ପଷ୍ଟ କରିଥିବା ସମ୍ବାଦ ହସ୍ତଗତ ହୋଇଛି। ଗତ ୧୪ ତାରିଖ ହୋଲି ସମୟରେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବାକୁ ଯାଇଥିବା ଦମକଳ ବାହିନୀ ସେଠାରେ ଟଙ୍କାର ପାହାଡ ଥିବା ଦେଖିବାକୁ ପାଇଥିଲେ। ଏତେ ପରିମାଣର ଅର୍ଥ ଜଣେ ବିଚାରପତିଙ୍କ ଘରେ ଦେଖି ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ହଡବଡେଇ ଯାଇଥିଲେ। ପରେ ଏସମ୍ପର୍କୀତ ସମ୍ବାଦ ବିଜୁଳି ବେଗରେ ପ୍ରସାରିତ ହୋଇଥିଲା। ଫଳରେ ବିଭାଗୀୟ ଅଧିକାରୀ ଏସବୁ ଟଙ୍କାକୁ ଜବତ କରିଥିଲେ। ଗଣତି ପରେ ଜବତ ଟଙ୍କାର ପରିମାଣ ୧୫ କୋଟି ବୋଲି ଜଣାପଡିଥିଲା। ଅନ୍ୟପକ୍ଷେ ରେକର୍ଡ ବୁକରେ ହିସାବ ବାହାରେ ଟଙ୍କା ମିଳିଥିବା ନେଇ ଏକ ସରକାରୀ ରେକର୍ଡ ପଞ୍ଜିକୃତ ହୋଇଥିଲା। ଅନ୍ୟପକ୍ଷେ ଜଷ୍ଟିସ୍ ଶର୍ମା ନିଜ ସଫେଇରେ କହିଛନ୍ତି ଯେ, ଯେତେବେଳେ ତାଙ୍କ ଘରେ ନିଆଁ ଲାଗିଲା ଓ ଟଙ୍କା ଜବତ କରାଯାଇଥିଲା ସେସମୟରେ ସେ ସହର ବାହାରେ ଥିଲେ। ଫଳରେ ସେ କିମ୍ବା ତାଙ୍କ ପରିବାର ଲୋକେ ଏସବୁ ଟଙ୍କା କେଉଁଠୁ ଆସିଲା ସେସମ୍ପର୍କରେ କିଛି ବି ଜାଣିନାହାନ୍ତି। ସୂଚନାଯୋଗ୍ୟ, ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ଅକ୍ଟୋବର ୨୦୨୧ରେ ଆହ୍ଲାବାଦରୁ ଦିଲ୍ଲୀ ହାଇକୋର୍ଟକୁ ପଠାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ଶୁକ୍ରବାର ରାଜ୍ୟସଭାରେ ବିରୋଧୀ ଦଳ ତୁମ୍ବିତୋଫାନ କରିବା ଦେଖିବାକୁ ମିଳିଛି। କାର୍ଯ୍ୟଦିବସ ଆରମ୍ଭ ହେବା ମାତ୍ରେ, ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତିଙ୍କ ଘରୁ ମିଳିଥିବା ନୋଟ ଗଦା ପ୍ରସଙ୍ଗ ଉଠିଥିଲା। କଂଗ୍ରେସ ସାଂସଦ ଜୟରାମ ରମେଶ ଏହି ପ୍ରସଙ୍ଗ ଉଠାଇଥିବା ବେଳେ ବିରୋଧୀ ଦଳର ନେତାମାନେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ। ଶୁକ୍ରବାର ଗୃହରେ ବ୍ୟାପକ ହୋହଲ୍ଲା ଦେଖିôବାକୁ ମିଳିଥିଲା।