ମହିଳାଙ୍କଠାରେ ମୁଣ୍ଡ ବିନ୍ଧା ସମସ୍ୟା ଅଧିକ

ଆଜିକାଲି ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା । ତେବେ କିଛି ଲୋକଙ୍କଠାରେ ମୁଣ୍ଡବିନ୍ଧା ନିୟମିତ ଦେଖା ଦିଏ । ଗବେଷଣାରୁ ଜଣାପଡ଼ିଛି, ପୃଥିବୀର ୫୨ ପ୍ରତିଶତ ଜନସଂଖ୍ୟା ପ୍ରତିବର୍ଷ କୌଣସି ନା କୌଣସି ମୁଣ୍ଡବିନ୍ଧାର ଶିକାର ହୋଇଥାନ୍ତି । ଏଥିରେ ମାଇଗ୍ରେନ୍‌, ସାଧାରଣ ମୁଣ୍ଡବିନ୍ଧା ଓ ଚିନ୍ତା ଯୋଗୁଁ ମୁଣ୍ଡବିନ୍ଧା ସାମିଲ ଅଛି । ଏ ଲାଗି ବୈଜ୍ଞାନିକମାନେ ୧୯୬୧ରୁ ୨୦୨୦ ପର୍ଯ୍ୟନ୍ତ ଥିବା ମୁଣ୍ଡବିନ୍ଧା ଡାଟାକୁ ସାମିଲ କରି ଏହି ଅଧ୍ୟୟନ କରିଛନ୍ତି । ବୈଜ୍ଞାନିକମାନେ କହିଛନ୍ତି, ପୃଥିବୀର ୧୪ ପ୍ରତିଶତ ଲୋକ ମାଇଗ୍ରେନ୍‌ରେ ପୀଡ଼ିତ । ସେହିପରି ୨୬ ପ୍ରତିଶତ ଲୋକଙ୍କର ଚିନ୍ତା ଏତେ ବେଶି ଯେ, ସେମାନେ ଗମ୍ଭୀର ମୁଣ୍ଡବିନ୍ଧା ଯନ୍ତ୍ରଣା ଦେଇ ଗତି କରିଥାନ୍ତି । ସେହିପରି ବିଶ୍ୱରେ ପ୍ରତିଦିନ ୧୫.୮ ପ୍ରତିଶତ ଲୋକ ମୁଣ୍ଡ ବିନ୍ଧା ସମସ୍ୟା ଦେଇ ଗତି କରୁଛନ୍ତି ।
ଗବେଷଣା ଅନୁସାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ମୁଣ୍ଡବିନ୍ଧା ସମସ୍ୟା ଅଧିକ । ଦୁନିଆର ୧୭ ପ୍ରତିଶତ ମହିଳା ମାଇଗ୍ରେନ୍‌ରେ ପୀଡ଼ିତ ଥିବା ବେଳେ ପୁରୁଷଙ୍କଠାରେ ଏହାର ସଂଖ୍ୟା ୮.୫ ପ୍ରତିଶତ । ୬ ପ୍ରତିଶତ ମହିଳାଙ୍କର ମୁଣ୍ଡ ବିନ୍ଧା କ୍ରମାଗତ ୧୫ ଦିନ ବା ତା’ଠୁ ଅଧିକ ସମୟ ରହିଥାଏ । ସେହିପରି ପୁରୁଷଙ୍କଠାରେ ଏହାର ସଂଖ୍ୟା ୨.୯ ପ୍ରତିଶତ । ଦିନକୁ ଦିନ ମାଇଗ୍ରେନ୍ ସମସ୍ୟା ବଢ଼ି ଚାଲିଛି । ଏହାର ଅନେକ କାରଣ ମଧ୍ୟ ରହିଛି ।